Odisha Link
Bridging the Missing Links in Odisha

ମହାମହିମଙ୍କୁ ଟିଏମ୍‌ସି ନେତାଙ୍କ ତାଚ୍ଛଲ୍ୟ, ବିଜେପି ରଖିଲା କଡ଼ା ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ଗତକାଲି ରାତିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଶର ପ୍ରଥମ ନାଗରିକ ମହାମହିମତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରାଯାଇଛି। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମ୍‌ସିର ଜଣେ ମନ୍ତ୍ରୀ ମହାମହିମଙ୍କ ରୂପକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ଅଖିଳ ଗିରି ମହାମହିମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଏକ ଜନସଭାରେ ତାଚ୍ଛଲ୍ୟ କରିଛନ୍ତି। ଯାହାକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି।

ନନ୍ଦିଗ୍ରାମ ହେଉଛି ଟିଏମସିରୁ ଯାଇ ବିଜେପି ଟିକେଟରେ ଜିତିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼। ସହିଦ ଦିବସରେ ନନ୍ଦିଗ୍ରାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ ଏହି ପ୍ରସଙ୍ଗର ସମାଧାନ କରିବା ପାଇଁ ମନ୍ତ୍ରୀ ଗିରି ଓ ଅନ୍ୟ ଟିଏମସି ନେତାମାନେ ନନ୍ଦିଗ୍ରାମରେ ଏକ ଜନସଭା କରିଥିଲେ। ସେଠାରେ ମନ୍ତ୍ରୀ ଗିରି ଶୁଭେନ୍ଦୁୂ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁରା ବିବାଦ ମଧ୍ୟକୁ ଟାଣି ଆଣିଛନ୍ତି।

ସେ ଜନସଭାରେ ରାଷ୍ଟ୍ରପତିଙ୍କ ନାଁ ନ ନେଇ କହିଥିଲେ ଯେ, “ଶୁଭେନ୍ଦୁ ଅଧିକାରୀ କହିଥିଲେ ମୁଁ ଦେଖିବାକୁ ସୁନ୍ଦର ନୁହେଁ। ସେ କେତେ ସୁନ୍ଦର! ଆମେ ଲୋକଙ୍କୁ ସେମାନଙ୍କ ରୂପକୁ ଦେଖି ଜଜ୍‌ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉ। କିନ୍ତୁ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?” ଯାହାକୁ ନେଇ ଟିଏମସିକୁ ଟାର୍ଗେଟ କରିଛି ବିଜେପି।

ଏହି ମନ୍ତବ୍ୟକୁ ପଶ୍ଚିମବଙ୍ଗ ବିଜେପି ନିନ୍ଦା କରିବା ସହିତ କହିଛି ଯେ, ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଜନଜାତି ବିରୋଧୀ। ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ଜନଜାତି ସମ୍ପ୍ରଦାୟର। ‘ତୃଣମୂଳ କଂଗ୍ରେସ’ର ସୁଧାର ଗୃହମନ୍ତ୍ରୀ ଅଖିଳ ଗିରି ମହିଳା କଲ୍ୟାଣ ବିଭାଗର ମନ୍ତ୍ରୀ ଶଶୀ ପଞ୍ଜାଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଜନଜାତି ବିରୋଧୀ।

Leave A Reply

Your email address will not be published.