Odisha Link
Bridging the Missing Links in Odisha

ଅର୍ଚନା ନାଗ ମାମଲା: ୩ ବିଧାୟକଙ୍କୁ ହୋଇପାରେ ନୋଟିସ୍‌

୩ ଜଣ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି। ୩ ଜଣ ବିଧାୟକଙ୍କର ସଧାସଳଖ ନ ହେଲେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ବାଟେ ଅର୍ଚ୍ଚନା ନାଗଙ୍କ ପାଖକୁ ଟଙ୍କା କାରବାର ହୋଇଛି।

ଓଏଲ୍‌ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି। ସୋମବାର ଦିନ ଜେରାବେଳେ ଅନେକଙ୍କ ଗୁମର ଖୋଲିଛନ୍ତି ଖଗେଶ୍ବର। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ ବିଧାୟକ ନାଁ ଆସୁଥିବା ଇଡି ସୁରାକ୍‌ ପାଇଛି।

ଏହି ୩ ଜଣ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି। ୩ ଜଣ ବିଧାୟକଙ୍କର ସଧାସଳଖ ନ ହେଲେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ବାଟେ ଅର୍ଚ୍ଚନା ନାଗଙ୍କ ପାଖକୁ ଟଙ୍କା କାରବାର ହୋଇଛି। ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡିର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିବା ପରେ ୩ ଜଣ ବିଧାୟକଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଖବର ମିଳିଛି।

ମିଳିଥିବା ସୂଚନା ମୁତାବିକ ସୋମବାର ସକାଳୁ ଇଡି ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଯେଉଁଥିରେ ୫ରୁ ୭ ଜଣ ଅଧିକାରୀ ଥିଲେ। ସେମାନେ ଭୁବନେଶ୍ବର, କଟକ ଓ କଳାହାଣ୍ଡି କେସିଙ୍ଗାରେ ଥିବା କେତେକ ନିର୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ଜଣା ପଡ଼ିଛି ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଅଛି। ଏହି ସବୁ ଆକାଉଣ୍ଟକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଟଙ୍କା ଆସିଛି, ତାହା ପୁଣି ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ।

ଖଗେଶ୍ବର ହିଁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ମାଧ୍ୟମ ଥିଲେ। ସୁପ୍ରିମ ବଜାରରେ ହିଁ ସବୁ ପ୍ରକାରର ଡିଲ୍ ହେଉଥିଲା। ତଦନ୍ତବେଳେ ଜଣାପଡ଼ିଛି ଅର୍ଚ୍ଚନା ଓ ତାଙ୍କ ପତି ଜଗବନ୍ଧୁଙ୍କର ୫ଟି ଜାଲ୍ କମ୍ପାନି ରହିଛି। ସେଥି ମଧ୍ୟରେ ମାଇନ୍ସ, ଟ୍ରାନ୍ସପୋର୍ଟ, ରିଅଲ ଇଷ୍ଟେଟ୍ ପ୍ରମୁଖ। ଏସବୁ ଥିରେ ୩ ଜଣ ବିଧାୟକଙ୍କ ଟଙ୍କା ମଧ୍ୟ ଲାଗିଥିବା ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ବିଧାୟକଙ୍କ ସଂପୃକ୍ତି ନେଇ ଇଡି ସୁରାକ୍ ପାଇବା ପରେ ଏହାରି ମଧ୍ୟରେ ଜଣେ ବିଧାୟକଙ୍କ ଅତ୍ୟନ୍ତ ସମ୍ପର୍କୀୟ ଏବେ ଫେରାର ହୋଇ ଯାଇଥିବା ଚର୍ଚା ଚାଲିଛି।

Leave A Reply

Your email address will not be published.