Odisha Link
Bridging the Missing Links in Odisha

ସମ୍ବଲପୁରରେ ଗିରଫ ହୋଇଥିବା ଆଇନଜୀବୀଙ୍କ ଜାମିନ ଆବେଦନ ଖାରଜ

କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଆନ୍ଦୋଳନ କରିବାରୁ ଓକିଲମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା

ଓଏଲ୍‌ ବ୍ୟୁରୋ : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗିରଫ ହୋଇଥିବା ଓକିଲଙ୍କ ଜାମିନକୁ ପୁଣି ଖାରଜ କରିଦେଇଛନ୍ତି କୋର୍ଟ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ସମୟରେ ଅନେକ ଆଇନଜୀବୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ଗିରଫ ଆଇନଜୀବୀମାନେ ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଥିବାବେଳେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ବର୍ତ୍ତମାନ ଆଉ ଥରେ ସମ୍ବଲପୁର ଜିଲ୍ଲା ଓ ଦୌରା ଜଜ୍ ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିବା ସୂଚନା ମିଳିଛି।

କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ଆନ୍ଦୋଳନ କରିବାରୁ ଓକିଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସୂଚନା ମୁତାବକ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘଦିନ ହେଲା ଆନ୍ଦୋଳନ କରୁଥିଲେ । ଆନ୍ଦୋଳନ କାରଣରୁ କୋର୍ଟରେ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ କୋର୍ଟ ଆନ୍ଦୋଳନକାରୀ ଓକିଲ ସଂଘକୁ ଚେତାବନୀ ଦେଇଥିଲେ। କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରି ଆନ୍ଦୋଳନକୁ ଗତ ୧୨ ତାରିଖରେ ତୀବ୍ର ରୂପ ଦେଇଥିଲେ।

ଓକିଲଙ୍କ ସହ ସାଧାରଣ ଲୋକ ସାମିଲ ହେବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ତୀବ୍ର ଆନ୍ଦୋଳନ ପରେ କୋର୍ଟର ଅନୁମତି କ୍ରମେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରିଛି ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ। ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି ବୋଲି ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବାବେଳେ ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଆନ୍ଦୋଳନକାରୀ ଆଇନଜୀବୀ ଆନ୍ଦୋଳନରୁ ଓହରି ନଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.