Odisha Link
Bridging the Missing Links in Odisha

ଅପରାହ୍ନରେ କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ହୁ ହୁ ହୋଇ ବଢ଼ିବାରେ କରୋନା ସଂକ୍ରମଣ। ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏହାକୁ ନଜରରେ ରଖି ଭାରତ ସରକାର କୋଭିଡ ସତର୍କତା ଗାଇଡଲାଇନ୍‌ ଜାରି କରିସାରରିଛନ୍ତି । ଏସବୁ ମଧ୍ୟରେ ରାଜ୍ୟର କୋଭିଡ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା ବୈଠକ।

ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ଼ ମୁକାବିଲା ବ୍ୟବସ୍ଥାର ତଦାରଖ ନିମନ୍ତେ ମଙ୍ଗଳବାର ସାରା ଦେଶରେ ମକ୍ଡ୍ରିଲ କରାଯିବ । ଜିଲ୍ଲାସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ୍, କୋଭିଡ କିଟ୍, ଅକ୍ସିଜେନ୍ ଆଇସିୟୁ, ଭେଣ୍ଟିଲେଟର ଓ ପିପିଇ କିଟ୍ ସହ ମ୍ୟାନପାୱାର ନେଇ ମକ୍ଡ୍ରିଲ କରାଯିବ । ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ଼ ପୋର୍ଟାଲରେ ଅପଲୋଡ କରିବ ଜିଲ୍ଲା ପ୍ରଶାସନ ।

ଏବେ ସରକାରୀ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କୋଭିଡ଼ ପାଇଁ ଆଇସୋଲେସନ ବେଡ୍ ରଖାଯାଇଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ପର୍ଯ୍ୟାୟକ୍ରମେ ବେଡ୍ ସଂଖ୍ୟାରେ ବୃଦ୍ଧି ଘଟାଯିବ । ଯଦି ଅଧିକ ବି ମ୍ୟାନ ପାୱାର ଆବଶ୍ୟକ ପଡ଼େ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ୍ କାର୍ଯ୍ୟକ୍ଷମ କରାଯାଇଛି । ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ଅଧିକ ରଖାଯାଇଛି ।

Leave A Reply

Your email address will not be published.