ଅଡୁଆରେ ଅଭିନେତ୍ରୀ ବର୍ଷା, ଜାତିଆଣ ଆକ୍ଷେପ ମାମଲାରେ କୋର୍ଟରୁ ଆସିଲା ସମନ
୨୦୨୩ ଜାନୁଆରି ୪ ତାରିଖରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦେଶ

ଓଏଲ୍ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜାତିଆଣ ଆକ୍ଷେପ ମାମଲାରେ ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଥିବାର ଖବରରୁ ଜଣା ପଡିଛି। ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ ଜାରି କରିଛନ୍ତି କୋର୍ଟ। ୨୦୨୩ ଜାନୁଆରି ୪ ତାରିଖରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦେଶ ଦିଆଯାଇଛି। ଏହି ମାମଲାରେ କେବଳ ବର୍ଷା ନୁହନ୍ତି, ବରଂ ତାଙ୍କ ମାଆ ଓ ଭଉଣୀଙ୍କୁ ବି ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ।
ପୂର୍ବରୁ ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା ଓ ତାଙ୍କ ମାଆ, ଭଉଣୀ ଜାତିଆଣ ଆକ୍ଷେପ କରିବା ନେଇ ଉକ୍ତ ଥାନାରେ ଏତେଲା ହୋଇଥିଲା। ଏହିକ୍ରମରେ ଗତ ସପ୍ତାହରେ ତଦନ୍ତକାରୀ ଏସପି ମହେଶ ଚାନ୍ଦ ମିନାଙ୍କ ନିର୍ଦେଶରେ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସିଥିଲେ। ସେମାନେ ବର୍ଷା ପ୍ରିୟଦର୍ଶିନୀଙ୍କ କଟକ ନନ୍ଦିସାହି ସ୍ଥିତ ଶାଶୂ ଘରେ ଏହି ସମନ ରଖିଥିଲେ। ଆଗରୁ ପାରିବାରିକ ମାମଲାରେ ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବ ମହାନ୍ତି ଚର୍ଚ୍ଚାରେ ଥିବାବେଳେ ଆଜି କୋର୍ଟର ସମନ ପରେ ଚର୍ଚ୍ଚା ଚାଲିଛି।
ଖବର ଅନୁସାରେ ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ ସଂପର୍କିତ ମାମଲାରେ ଦିଲ୍ଲୀ ପୁଲିସ୍ ନୋଟିସ୍ ଜାରି କରିଥିଲା। ପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଆଭେନ୍ୟୁ ଥାନା ମାମଲା ନମ୍ବର ୪୨/ ୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଜି ତାହାର ରାୟ ପ୍ରକାଶ ପାଇଥିବା ସୂଚନା ମିଳିଛି।