Odisha Link
Bridging the Missing Links in Odisha

‘ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଗଲି’

ମୋ ସ୍ବାମୀ ସେଲିବ୍ରିଟି, ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ନେଇ ଥାନା ଦ୍ୱାରସ୍ତ ହୋଇଥିଲେ। ତେବେ ଏହି ମାମଲାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା କହିଛନ୍ତି ଯେ, ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି।

ଗତ ୫ ବର୍ଷ ହେଲା ମେଣ୍ଟାଲି, ଫିଜିକାଲି ଟର୍ଚର ହେଉଥିଲେ ବୋଲି ଶ୍ରୀୟା କହିଛନ୍ତି। ଝିଅ ଜନ୍ମ ହେବା ପରଠାରୁ ନିୟମିତ ନିର୍ଯାତନା ଦେଉଥିଲେ ଏବଂ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଶ୍ରୀୟା କହିଛନ୍ତି। ମୋ ସ୍ବାମୀ ସେଲିବ୍ରିଟି, ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି ବୋଲି ଶ୍ରୀୟା କହିଛନ୍ତି।

ଶ୍ରୀୟାଙ୍କ କହିବା ଅନୁସାରେ, ମଦ ପିଇବାକୁ ନଦେବାରୁ ହ୍ୟୁମାନ ତାଙ୍କୁ ପିଟନ୍ତି। ମଦ ପିଇବା ବଢ଼ିଯିବାରୁ ତାଙ୍କ କାମରେ ପ୍ରଭାବ ପଡୁଥିଲା ଏବଂ ନିଶାସକ୍ତ ଥିଲେ ସେ ସୋ କରିପାରନ୍ତିନି, ରେକର୍ଡିଂ ବନ୍ଦ ରହେ। ସେଥିପାଇଁ ମୁଁ ତାଙ୍କୁ ମଦ ପିଇବାକୁ ମନାକରେ ଏବଂ ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି ବୋଲି ଶ୍ରୀୟା ମତବ୍ୟକ୍ତ କରିଛନ୍ତି।

ଶ୍ରୀୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ସିନ୍ଦୂର ଲଗାଇବାକୁ ଦିଅନ୍ତିନି ବୋଲି ସେ କହିଛନ୍ତି। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି ତାଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା କହିଛନ୍ତି। ମୋ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ଗତ ୬ ମାସ ହେଲା ମୁଁ ସେଠି ରହୁନଥିଲି। ତାଙ୍କ ମା ଆମ ପରିବାର ନାଁରେ ମିଥ୍ୟା ଆରୋପ ଲଗାଇଲେ। ଥାନାରେ ଦେଖାହେଲେ ମୁଁ ତାଙ୍କ ମାଙ୍କୁ ଏସବୁ କଥା ପଚାରିବି ବୋଲି ଶ୍ରୀୟା କହିଛନ୍ତି।

ପୂର୍ବରୁ ଏହି ମାମଲାକୁ ନେଇ ହ୍ୟୁମାନ ଏବଂ ତାଙ୍କ ମା ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ। ହ୍ୟୁମାନ କହିଥିଲେ ସେ ଆପୋଷ ବୁଝାମଣା ଚାହାଁନ୍ତି। ହ୍ୟୁମାନଙ୍କ ପରିବାରର ସମସ୍ତେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଆନ୍ତି ବୋଲି ହ୍ୟୁମାନ କହିଥିବାବେଳେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି ଏବଂ କାହାକୁ ତାଙ୍କ ଧର୍ମକୁ ଆସିବାକୁ ଚାପ ଦେଇନାହାନ୍ତି। ଆମେ ଠିକରେ ଅଛୁ, ସତ୍ୟରେ ଅଛୁ, ବିଶ୍ୱାସ ସବୁ ଠିକ୍ ହୋଇଯିବ ବୋଲି ହ୍ୟୁମାନ ସାଗର କହିଥିଲେ। ଅନ୍ୟପକ୍ଷେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା କହିଥିଲେ, ବୋହୂକୁ କେବେ ବି ଧର୍ମ ପରିବର୍ତ୍ତନ କରିବାକୁ କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ ବୋଲି ହ୍ୟୁମାନଙ୍କ ମା କହିଥିଲେ।

Leave A Reply

Your email address will not be published.