Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍‌, ୨ ମୃତ

ବସ୍‌ଟି ଯାତ୍ରୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାରୁ କେନ୍ଦ୍ରାପଡ଼ା ଇଚ୍ଛାପୁର ଗ୍ରାମକୁ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି

ଓଏଲ୍ ବ୍ୟୁରୋ : ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଯିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ବସ୍‌ଟି ଯାତ୍ରୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାରୁ କେନ୍ଦ୍ରାପଡ଼ା ଇଚ୍ଛାପୁର ଗ୍ରାମକୁ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ୪୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନେଇ ବସଟି ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ସିମିନଈ ପଞ୍ଚୁବଟି ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆହତମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତ ଦୁଇ ମହିଳାଙ୍କ ପରିଚୟ ମିଳଥିବାବେଳେ ସେମାନେ ହେଲେ ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ। ମୃତ ଦୁଇ ମହିଳାଙ୍କ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁର ଗ୍ରାମରେ। ୪୫ରୁ ଅଧିକ ଯାତ୍ରୀ ନେଇ ବସଟି ହରିଶଙ୍କରରୁ ପିକନିକ ସାରି ଫେରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି।

Leave A Reply

Your email address will not be published.