Odisha Link
Bridging the Missing Links in Odisha

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ‌ରେ ପୁରୁଷମାନେ ବି କରିପାରିବେ ପିଏଚ୍‌ଡି

କେବଳ ବିଶ୍ବବିଦ୍ୟାଳୟର ନିୟମିତ ଅଧ୍ୟାପକମାନଙ୍କୁ ଏଭଳି ସୁଯୋଗ ମିଳିବ

ଓଏଲ୍ ବ୍ୟୁରୋ : ମହିଳା ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ। ଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ନିଜେ ମଧ୍ୟ କ୍ୟାମ୍ପସରେ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରି ଡିଗ୍ରି ହାସଲ କରିପାରିବେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପିଲାଙ୍କ ପାଇଁ ଏହା ଉପଲବ୍ଧ ହେବ ନାହିଁ। କେବଳ ବିଶ୍ବବିଦ୍ୟାଳୟର ନିୟମିତ ଅଧ୍ୟାପକମାନଙ୍କୁ ଏଭଳି ସୁଯୋଗ ମିଳିବ। ପୁରୁଷ ପିଏଚଡି କରିବା ପାଇଁ ‌ରେଗୁଲାରାଇଜେସନ୍‌ କମିଟିରେ ବିସ୍ତୃତ ଭାବେ ଆଲୋଚନା ପରେ ପରୀକ୍ଷା କମିଟିରେ ବି ବିଚାରବିମର୍ଶ ହୋଇଥିଲା। ପରବର୍ତ୍ତୀ ସମୟରେ ସିଣ୍ଡିକେଟ୍‌ ବୈଠକରେ ଏନେଇ ଆଲୋଚନା ପରେ ସମସ୍ତ ପ୍ରକ୍ରିୟା ଅନୁଯାୟୀ ପୁରୁଷମାନେ ପିଏଚ୍‌ଡି କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ଖବର ଅନୁସାରେ, ପ୍ରଥମ ଥର ଲାଗି ମହିଳା ବିଶ୍ବବିଦ୍ୟାଳୟର ଜଣେ ପୁରୁଷ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖାଇବାକୁ ଯାଉଛନ୍ତି। ଇତିମଧ୍ୟରେ ସମ୍ପୃକ୍ତ ଅଧ୍ୟାପକ ଜଣକ କୋର୍ସୱାର୍କ ଶେଷ କରି ସାରିଛନ୍ତି। ବିଶ୍ବବିଦ୍ୟାଳୟ ଲାଗି ‌ଯେତିକି କୋର୍ସୱାର୍କ ଆବଶ୍ୟକ ତା‌’ଠାରୁ ବହୁତ ଅଧିକ ଏନ୍‌ଆଇଟିରେ କୋର୍ସୱାର୍କ କରି ସାରିଥିବା ଜଣାପଡ଼ିଛନ୍ତି। ଏବେ ସେ ଥେସିସ୍‌ ଟପିକ୍‌ ଦାଖଲ କରିବା ପରେ ଗାଇଡ୍‌ ଚୟନ କରି ନିୟମିତ ଭାବେ ଥେସିସ୍‌ ପ୍ରସ୍ତୁତ କରିବେ।

ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷ ପିଏଚଡି କରିବା ଘଟଣାକୁ ନେଇ ଆଲୋଚନା ହେଉଥିବାବେଳେ ବିଶ୍ଵବିଦ୍ୟାଳୟର କୁଳପତି ଏନେଇ ମତ ପ୍ରକାଶ କରିଛନ୍ତି। କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ, ନାକ୍‌ ଟିମ୍‌ ଆସିବା ସମୟରେ ଅଧ୍ୟାପକଙ୍କ ପାଇଁ ଆମେ କ’ଣ ସବୁ ପ‌ଦକ୍ଷେପ ନେଇଛୁ, ସେ ବିଷୟରେ ଉପସ୍ଥାପନ କରିପାରିବୁ। ମହିଳା ବିଶ୍ଵବିଦ୍ୟାଳୟରେ ପୁରୁଷ ପିଏଚଡି କରିବାକୁ କେହି ପ୍ରଶ୍ନ ଉଠାଇବା କଥା ନୁହେଁ। ମହିଳା ବିଶ୍ବବିଦ୍ୟାଳୟରେ ଯେତିକି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୫୦% ହେଉଛନ୍ତି ପୁରୁଷ। ସେମାନଙ୍କ କ୍ୟାରିଅର ବିକାଶ କଥା ଆମେ ଦେଖିବୁ ନାହିଁ ତ କିଏ ଦେଖିବ। ସମସ୍ତ କମିଟିରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଆମ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ କ୍ୟାରିଅର ବିକାଶ ହୋଇପାରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି କହିଛନ୍ତି।

Leave A Reply

Your email address will not be published.