Odisha Link
Bridging the Missing Links in Odisha

୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡ଼ିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ପ୍ରତିଦ୍ୱନ୍ଦିତା କରିବେ ।

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା । ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶା ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ସେ ଏବେ ଏକ ସାକ୍ଷାତକାରେ କହିଛନ୍ତି ଯେ ଏଥର ନିର୍ବାଚନ ଲଢ଼ିବେ। ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡ଼ିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି । ତେବେ ବିଧାନସଭା କି ଲୋକସଭା ପାଇଁ ଲଢ଼ିବେ ଏହି ପ୍ରଶ୍ନକୁ ଏଡାଇ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅର୍ଥାତ ବିଧାନସଭାରୁ କି ଲୋକସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରି ନାହାଁନ୍ତି ଧର୍ମେନ୍ଦ୍ର।

ସବୁଠୁ ବଡ଼କଥା ହେଲା ଆଗାମୀ ନିର୍ବାଚନରେ ବିଜେପି କାହାକୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର। କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି। ତେଣୁ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବିଭିନ୍ନ ସର୍ଭେ ରିପୋର୍ଟ ଓ ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ରେ ଢେଙ୍କାନାଳ ଲୋକସଭା ମଣ୍ଡଳୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି । ଯଦି ସେ ସାଂସଦ ଭାବେ ନିର୍ବାଚନ ଲଢ଼ନ୍ତି ତେବେ ସେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରିବେ ନାହିଁ। ଯଦି ସେ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ତେବେ ପରଜଙ୍ଗ, ତାଳଚେର କିମ୍ବା ପାଲଲହଡ଼ା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ ମସିହାରେ ପାଲଲହଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ରେ ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ଲୋକସଭା ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ। ତାପରେ ଆଉ କୌଣସି ସିଧାସଳଖ ନିର୍ବାଚନ ଲଢ଼ି ନଥିଲେ ଧର୍ମେନ୍ଦ୍ର।

୨୦୧୨ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ। ପରେ ୨୦୧୪ରେ ପଟ୍ରୋଲିୟମ୍‌ ମନ୍ତ୍ରୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ୨୦୧୮ ମସିହାରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ନିର୍ବାଚନ ଲଢ଼ିଥିବା ସତ୍ତ୍ବେ ସେ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ। ପରେ ୨୦୨୧ରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବଭାର ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମୋଟାମୋଟି ଭାବେ କହିବାକୁ ଗଲେ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନାହାନ୍ତି। ପାଖାପାଖୀ ୧୫ ବର୍ଷ ପରେ ଶ୍ରୀ ପ୍ରଧାନ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.