Odisha Link
Bridging the Missing Links in Odisha

ମାଘରେ ନାହିଁ ଶୀତ, ରାଜଧାନୀରେ ୩୨ ଡିଗ୍ରୀ ଟପିଲା ପାରଦ

ଓଏଲ୍‌ ବ୍ୟରୋ: ଉତ୍ତର ଭାରତରେ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଶୀତ ଅନୁଭୂତ ହେଉନାହିଁ। ମାଘ ମାସରେ ବି ରାଜ୍ୟରେ ଶୀତ ନାହିଁ। କିଛିିଦିନ ହେବ ପାହାନ୍ତିଆରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ସକାଳୁ କୁହୁଡ଼ି ଲାଗି ରହୁଛି। ଅନ୍ୟପଟେ ଦିନରେ ଗରମ ଅନୁଭୂତ ହେଉଛି। ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁସାରେ, ଆଜି ରାଜ୍ୟର ୭ଟି ସ୍ଥାନରେ ଦିନ ତାପମାତ୍ରା ୩୨ ଡିଗ୍ରୀ ଉପରେ ରହିଛି। ସେହିଭଳି ୨ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଛୁଇଁଛି । ସମ୍ବଲପୁରରେ ପାରଦ ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୩୩ ଡିଗ୍ରୀ, ଭୁବନେଶ୍ୱରରେ ୩୨.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୨.୮ ଡିଗ୍ରୀ, ଅନୁଗୁଳରେ ୩୨.୭ ଡିଗ୍ରୀ, ଭଦ୍ରକରେ ୩୨.୫ ଡିଗ୍ରୀ, ସୋନପୁରରେ ୩୨.୩ ଡିଗ୍ରୀ ରହିଛି।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ସେଭଳି ବିଶେଷ ପରିବର୍ତ୍ତନ ହେବ ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦେଖାଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।