ନବ ଦାସ ହତ୍ୟା ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି
ସରକାରକୁ ପ୍ରକୃତରେ କିଏ ଚଳାଉଛି, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିଜେପି ସଭାପତି ସମୀର ମହାନ୍ତି ମତ ପ୍ରକାଶ କରିଛନ୍ତି

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଜଣେ ପୁଲିସ କର୍ମଚାରୀ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବାରୁ ପୁଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ହତ୍ୟା କରିଥିବା ପୁଲିସ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଜେରା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଥିବା ଜଣା ପଡିଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି।
ପ୍ରେସମିଟରେ ବିଜେପି ସଭାପତି ସମୀର ମହାନ୍ତି ସିବିଆଇ ତଦନ୍ତ ଦାବି କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦିଅନ୍ତୁ। ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି, ଫଳ ଶୂନ ରହିଛି। ତଦନ୍ତ ବିଳମ୍ବ କଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟଣାକୁ ନେଇ ଏଯାଏଁ ଡିଜିପି ଏବଂ ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିଜେପି ସଭାପତି ସମୀର ମହାନ୍ତି ମତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ, ନବ ଦାସ ହତ୍ୟା ପଛରେ ଟପ୍ ଲେବଲ ଷଡ଼ଯନ୍ତ୍ର ରହିଛି। ପ୍ରେସମିଟ ମାଧ୍ୟମରେ ଷଡ଼ଯନ୍ତ୍ର ଆରୋପ ଲଗାଇଲା କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ସୁଦର୍ଶନ ଦାସଙ୍କ ଏହି ଆରୋପ ଲଗାଇଥିବା ଜଣା ପଡିଛି। ଏହା ଏକ ମାମୁଲି ହତ୍ୟା ନୁହେଁ, ଶାସନର ଟପ୍ ପୋଜିସନରେ ଥିବା ଲୋକ ଷଡ଼ଯନ୍ତ୍ରରେ ଲିପ୍ତ ଏବଂ ଘଟଣାର ଏସଆଇଟି ସ୍ତରୀୟ ତଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ରହି ଗୃହମନ୍ତ୍ରୀ ପଦ ଛାଡ଼ନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ମତ ବ୍ୟକ୍ତ କରିଛି।