Odisha Link
Bridging the Missing Links in Odisha

ଧାନ କିଣା ଅର୍ଥ ଓଡ଼ିଶାର ଚାଷୀଙ୍କୁ ସଠିକ୍‌ ସମୟରେ ମିଳିପାରୁନି: ବସନ୍ତ ପଣ୍ଡା

ଓଏଲ୍‌ ବ୍ୟୁରୋ: ଧାନ କିଣା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ସକାଳେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ବଜେଟରେ ଚାଷୀ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି କହିଛି। ଏଥିସହିତ କୃଷକଙ୍କ ସମସ୍ତ ଧାନ କ୍ରୟ ସହିତ ଏମ୍ଏସପିକୁ କେନ୍ଦ୍ର ନିଶ୍ଚିତ କରିବାକୁ ବିଜେଡି ଦାବି କରିଛି। ଅନ୍ୟପଟେ ବିଜେପି ସାଂସଦ ବସନ୍ତ ପଣ୍ଡା ରଖିଛନ୍ତି ପ୍ରତିକ୍ରିୟା ।

ଶ୍ରୀ ପଣ୍ଡା କହିଛନ୍ତି ମାନ୍ୟବର ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଓ ଓଡ଼ିଶାରେ ଧାନ ବିକ୍ରି ଅବ୍ୟବସ୍ଥାରୁ ନଜର ହଟାଇବା ପାଇଁ ବିିଜୁ ଜନତା ଦଳ ପ୍ରତିଦିନ ନୁଆ ନୁଆ ମିଛ ଅଭିଯୋଗ କରୁଛି । ରାଜ୍ୟ ସରକାରଙ୍କର ଧାନ କିଣା ବ୍ୟବସ୍ଥାର ନୋଡାଲ ଏଜେନ୍ସି ହେଉଛି ରାଜ୍ୟ ଯୋଗାଣ ନିଗମ । କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ହିସାବରେ ଧାନ କିଣା ଅର୍ଥ ରାଜ୍ୟ ସରକାରଙ୍କୁ ଦିଅନ୍ତି । ରାଜ୍ୟ ସରକାର ଧାନ କିଣା ପ୍ରକ୍ରିୟାକୁ ଯୋଗାଣ ବିଭାଗ ମାଧ୍ୟମରେ କ୍ରିୟାନୟନ କରନ୍ତି ।

ହେଲେ ଏବେ ୨୦ ଦିନ ହେଲାଣି ଯୋଗାଣ ବିଭାଗର ଏମଡିଙ୍କର ପତା ନାହିଁ । ଚାଷୀମାନଙ୍କୁ ୪୮ ଘଂଟା ଭିତରେ ଅର୍ଥ ଦେବାର ଘୋଷଣା କରିଥିଲା ବେଳେ ଏକ ମାସ ପରେ ବି ଚାଷୀମାନଙ୍କୁ ଧାନ କିଣା ଅର୍ଥ ଓଡିଶାରେ ମିଳିପାରୁନି । ଚାଷୀମାନେ ଏବେ ଘୋର ହତାଶରେ ଯେ ସେମାନଙ୍କୁ ଧାନ କିଣା ଅର୍ଥ ମିଳିବ କି ନାହିଁ ? ଏସବୁ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜୁ ଜନତା ଦଳର ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ଫୁଡ ସବସିଡ ଓ ଧାନ କିଣାକୁ ନେଇ ଗୁଡିଏ ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କ ଆକ୍ରୋଶରୁ ନିଜ ଦଳକୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ ୨୦୧୩ ମସିହାରେ ଓଡିଶାକୁ ଫୁଡ ସବସିଡ ଆକାରରେ ମିଳୁଥିଲା ୩୦୪୧ କୋଟି ଟଙ୍କା । ଏବେ ମିଳୁଛି ୮୪୦୦ କୋଟି ଟଙ୍କା । ଏହା ବାଦ ପୁଣି ଧାନ କିଣା ଅର୍ଥ ଅଲଗା ମିଳୁଛି । ସାରା ଦେଶ ପାଇଁ ୨୦୧୩ ମସିହାରେ ମୋଟ ଫୁଡ ସବସିଡ ଥିଲା ୯୦ ହଜାର କୋଟି । ଏବେ ଦେଶର ମୋଟ ଫୁଡ ସବସିଡ ବଜେଟ ହେଉଛି ୧ ଲକ୍ଷ ୯୭ ହଜାର କୋଟି । ପ୍ରସନ୍ନ ଆଚାର୍ଯ୍ୟ ବାବୁ ଗଣିତ କଷି କୁହନ୍ତୁ ଫୁଡ ସବସିଡ କମିଲା କି ବଢିଲା ?

ଓଡିଶାର ଚାଷୀ ମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କିଣିଛନ୍ତି । ମାତ୍ର ମୋଦି ସରକାରଙ୍କ ସମୟରେ ଓଡିଶାରେ ଆର୍ଥିକ ବର୍ଷ ୨୦୧୪ ରୁ ୨୦୨୨ ମଧ୍ୟରେ ୩୬.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି । ୨୦୧୩-୧୪ ଆର୍ôଥକ ବର୍ଷରେ ଧାନର ଏମଏସପି କ୍ୱିଟାଂଲ ପ୍ରତି ୧୩୧୦ ଟଙ୍କା ଥିଲା ବର୍ତମାନ ଧାନର ଏମଏସପି କ୍ୱିଂଟାଲ ହେଉଛି ୨୦୪୦ ଟଙ୍କା । ଏହା କଣ ପ୍ରସନ୍ନ ବାବୁଙ୍କୁ ଜଣା ନାହିଁ କି? ଯଦି ବିଜୁ ଜନତା ଦଳ ଚାହୁଁଛି ଧାନ କ୍ୱିଂଟାଲ ପିଛା ୨୯୩୦ ଟଙ୍କା ହେଉ ବୋଲି ତାହେଲେ ବାକି ଅର୍ଥ ରାଜ୍ୟ ସରକାର ନିଜ ବଜେଟରୁ ଚାଷୀମାନଙ୍କୁ ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାମର୍ଶ ଦେଇଛନ୍ତି ।

 

Leave A Reply

Your email address will not be published.