Odisha Link
Bridging the Missing Links in Odisha

ଚାଉଳ କଳି: ବିଜେଡିର ୩ ଦିନିଆ ଆନ୍ଦୋଳନ, ବିଜେପି କହିଲା-ଅତିରିକ୍ତ ୫ କେଜି ଚାଉଳ ଦେଉ ରାଜ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥମୁନି ଚାଉଳ କଳି। ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଚାଉଳ ରାଜନୀତି। ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା କରିବା ପରେ କୋଭିଡ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କାଟି ଦିଆଯାଇଛି। ଫଳରେ ହିତାଧିକାରୀ ୧୦ କେଜି ବଦଳରେ ୫ କେଜି ଲେଖାଁ ଚାଉଳ ପାଇବେ। ଯାହାକୁ ନେଇ ମୁହାଁମୁହିଁ ଶାସକ ବିଜେଡି ଓ ବିଜେପି ଦଳ। କେନ୍ଦ୍ର ସରକାର କାହିଁକି ୫ କେଜି ଚାଉଳ କାଟିଲେ ବୋଲି ବିଜେଡି ପ୍ରଶ୍ନ କରୁଥିବା ବେଳେ ବିଜେପି କହିଛି ଅତିରିକ୍ତ ୫ କେଜି ଚାଉଳ ରାଜ୍ୟ ଦେଉ। ଏପରିକି ଆଜି ପ୍ରେସମିଟ୍ କରି ପରସ୍ପର ବିରୋଧରେ ବର୍ଷିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ଦଳ।

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବନ୍ଦ କରିଦେଇଛି ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‍ଏସ୍‌ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା। ପିଏମ୍‌ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ କୃଷକମାନେ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି। ପିଏମ୍‌ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବିରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ତାହା ଶୀଘ୍ର ନହୁଏ, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡିଶାର କୃଷକଙ୍କ ଅଧିକାର ପାଇଁ ଲଢିବ ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍‍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ। ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ହ୍ରାସ କରାଯାଇଛି । କେବଳ ବରଗଡ଼ ପରି ଗୋଟିଏ ଜିଲ୍ଲା ୪ ଲକ୍ଷ ଟନ୍‍ ଉତ୍ପାଦନ କରେ। ଓଡିଶାର ଅନ୍ୟ ୨୯ଟି ଜିଲ୍ଲାର ଚାଷୀଙ୍କ ସହିତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସାହୁ । ଏଥିସହିତ ଆସନ୍ତା ୧୪, ୧୫ ଓ ୧୬ ତାରିଖରେ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜୁ ଜନତା ଦଳ ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଚାଉଳକୁ ଆୟୁଧ କରି ବିଜେଡି ୨-୨ ଥର ନିର୍ବାଚନ ବୈତରଣୀ ପାରହୋଇଛି। ୨୦୦୯-୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟର ୩୬ଲକ୍ଷ ବିପିଏଲ ପରିବାରଙ୍କୁ ୩୫ କେଜି ଲେଖାଏଁ ଚାଉଳ ଦେଉଥିଲେ, କିନ୍ତୁ ଗରିବଙ୍କ ପେଟରେ ଲାତ ମାରି ୧୦ କେଜି ଚାଉଳ କାଟି ୨୫ କେଜି ଦେଉଥିବା ସରକାର ହେଉଛି ବିଜେଡି ସରକାର। ଏହି ୫ ବର୍ଷରେ ବିପିଏଲ ଗରୀବଙ୍କ ପାଇଁ ଥିବା ୨୨ ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ହଡପ୍ କଲା କିଏ ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟର ସମସ୍ତ ୩.୨୫ କୋଟି ଲୋକଙ୍କୁ ୫ କେଜି ଚାଉଳ ମାତ୍ର ଟଙ୍କାକରେ ଯୋଗାଇ ଦେଲେ । ଏଥିରେ ରାଜ୍ୟ ସରକାରଙ୍କ ଅବଦାନ ୨ ଟଙ୍କା ହୋଇଥିବାବେଳେ ଅବଶିଷ୍ଟ ୨୮ ଟଙ୍କା କେନ୍ଦ୍ର ସରକାର ନିଜେ ବହନ କରୁଥିଲେ। ବିଜେଡି ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ମାଗଣାରେ ୫ କେଜି ଚାଉଳ ଯୋଗାଇ ଦେବେ ବୋଲି ଘୋଷଣା କରି ପ୍ରଥମେ ହାଇକୋର୍ଟରେ ୩୪ ଲକ୍ଷ ଲୋକଙ୍କୁ ଦେବେ ବୋଲି ସତ୍ୟପାଠ କରିଥିବାବେଳେ ପରବର୍ତ୍ତୀ ସମୟରେ ପ୍ରଚାର ପତ୍ର ଓ ବିଜ୍ଞାପନ ଜରିଆରେ ୨୫ ଲକ୍ଷ ଏବଂ ପରେ ବିଧାନସଭାରେ ୮ ଲକ୍ଷ ଲୋକଙ୍କୁ ଚାଉଳ ଯୋଗାଉଛୁ ବୋଲି କହିଲେ। ବର୍ତ୍ତମାନ ତାହା ମଧ୍ୟ ମିଳୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.