Odisha Link
Bridging the Missing Links in Odisha

WPL ୨୦୨୩: ମାର୍ଚ୍ଚ ୪ରୁ ଆରମ୍ଭ, କେବେ କେଉଁ ମ୍ୟାଚ୍‌ ଖେଳାଯିବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଜାରି କଲା ମହିଳା ପ୍ରିମିୟର ଲିଗ୍‌ (ଡ୍ଲୁପିଏଲ)ର ଖେଳସୂଚୀ। ନିଲାମୀ ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ଜାରି କରିଛି ମହିଳା ପ୍ରିମିୟର ଲିଗ୍‌ ୨୦୨୩ର କ୍ରୀଡ଼ାସୂଚୀ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜିଆଣ୍ଟସ୍, ୟୁପି ଓ୍ବାରିୟର୍ସ, ରୟଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଇଦାନକୁ ଓହ୍ଲାଇବେ। ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ମୁମ୍ବାଇର ଦୁଇଟି ଷ୍ଟାଡିୟମରେ ହିଁ ଖେଳାଯିବ। ମାର୍ଚ୍ଚ ୪ ତାରିଖରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ। ସେହିପରି ମାର୍ଚ୍ଚ ୨୬ ତାରିଖରେ ଲିଗର ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ମହିଳା ପ୍ରିମିୟର ଲିଗ୍‌ ପ୍ରଥମ ସଂସ୍କରଣରେ ମୋଟ ୨୦ଟି ଲିଗ୍‌ ମ୍ୟାଚ ଓ ୨ଟି ପ୍ଲେଅଫ୍‌ ମ୍ୟାଚ ଖେଳାଯିବ। ୨୩ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ମାର୍ଚ୍ଚ୫, ମାର୍ଚ୍ଚ ୧୮,ମାର୍ଚ୍ଚ ୨୦ ଓ ମାର୍ଚ୍ଚ ୨୧ ତାରିଖରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ। ଯେଉଁଦିନ ଦୁଇଟି ମ୍ୟାଚ ଖେଳାଯବି ସେହି ଦିନ ପ୍ରଥମ ମ୍ୟାଚଟି ଅପରାହ୍ନ ୩.୩୦ରୁ ଖେଳାଯିବ। ଆଉ ଅନ୍ୟମ୍ୟାଚ ଗୁଡ଼ିକ ସନ୍ଧ୍ୟା ୭.୩୦ରେ ଖେଳାଯିବ।

ସୂଚନାଥାଉକି, ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇ ଫ୍ରାଞ୍ଚାଇଜ୍‌ ଇଂଲଣ୍ଡର ନାତାଲି ସ୍କିଭରଙ୍କୁ ୩.୨ କୋଟି ଟଙ୍କାରେ କିଣିଛି। ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୱାରିଅର୍ସ ୨.୬ କୋଟି ଟଙ୍କାରେ, ଜେମିମା ରଦ୍ରିଗୁଏଜ୍‌ ଓ ପ୍ରାରମ୍ଭିକ ବ୍ୟାଟର୍‌ ତଥା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ଅଧିନାୟିକା ଶେଫାଳି ବର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଯଥାକ୍ରମେ ୨.୨ କୋଟି ଓ ୨ କୋଟି ଟଙ୍କାରେ କିଣିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ମୋଟ ୧୦ ଜଣଙ୍କୁ ୧କୋଟି କିମ୍ବା ଏହାଠୁ ଅଧିକ ଟଙ୍କାରେ କିଣାଯାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର (ଗୁଜରାଟ ଟାଇଟନ୍ସ) ଓ ଇଂଲଣ୍ଡର ନାତାଲି ସ୍କିଭର (ମୁମ୍ବାଇ ଇଣ୍ଡିଆନ୍ସ) ୩.୨ କୋଟି ଟଙ୍କା ଲେଖାଏଁରେ କିଣା ହୋଇ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦାମୀ ଖେଳାଳି ହୋଇପାରିଛନ୍ତି। ମୋଟ୍‌ ୮୭ ଜଣ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିଥିଲା ବେଳେ ସେମାନଙ୍କ ମଧ୍ୟରେ ୩୦ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ।