Odisha Link
Bridging the Missing Links in Odisha

‘ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି’

ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି।

ଓଏଲ୍‌ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ହକି ବିଶ୍ୱକପ୍ ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ସଫଳତା ହାସଲ କରିଛି। ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ମିଲେଟ ମିଶନ ଜରିଆରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ଜରିଆରେ ଚାଷୀଙ୍କୁ ସହାୟତା ଦିଆଯାଉଛି। କାଳିଆ ଛାତ୍ରବୃତ୍ତି ଗରିବ ମେଧାବୀ ଛାତ୍ରଙ୍କୁ ସହାୟତା ଦେଉଛି।

ଅନ୍ୟପକ୍ଷେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଛି। ବିଜେପି କକ୍ଷତ୍ୟାଗ କରିଥିବା ଜଣା ପଡିଛି।ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ ପରେ ବିଧାନସଭା କକ୍ଷ ପ୍ରବେଶ ପଥରେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ବିଜେପି ସଦସ୍ୟ ଧାରଣା ଦେଇଥିବା ଜଣା ପଡିଛି।

ବିଧାନସଭାରେ ଆଜି ଏହି ଅଧିବେଶନ ଆରମ୍ଭ ହୋଥିବାବେଳେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।

ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଗତକାଲି ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇଥିଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଉପସ୍ଥିତ ରହିଥିଲେ। ସର୍ବଦଳୀୟ ବୈଠକରେ ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କରି ବୈଠକ ବର୍ଜନ କରିଥିଲା ବିଜେପି। ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ଦାବି କରିଥିଲେ ବିରୋଧୀ ଦଳ ନେତା।

ଅନ୍ୟପକ୍ଷେ, ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ଡିଜିପି ସୁନୀଲ ବଂଶଲ। ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହୋଇଛନ୍ତି। ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୁଲିସର କଡା ନଜର ରହିବ ବୋଲି କହିଥିଲେ ପୁଲିସ ଡିଜି।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    ତାହା ହେଲେ ,ଚାଉଳ ,ଚାଉଳ ଦିତ ବୋଲି ,କଣ ପାଇଁ କହୁଛନ୍ତି ।ନିଜ ବିଲରେ ଧନ ,aachi । ମିଳର୍ ଚଉଳକରି ଦେଉଚି ।ନିଜେ ଖାଇ ପାରୁନାହାନ୍ତି ?

Leave A Reply

Your email address will not be published.