Odisha Link
Bridging the Missing Links in Odisha

ବାମରା ଷ୍ଟେସନରେ ଆନ୍ଦୋଳନକାରୀ ଏବଂ ପୁଲିସ ଧସ୍ତାଧସ୍ତି

କରୋନା କଟକଣା ସ୍ୱାଭାବିକ ପରେ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ଡିଆରଏମଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ଘଟଣାସ୍ଥଳରେ ପୁଲିସ ଏବଂ ଜନତା ମୁହାଁମୁହିଁ। ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହେଲେ। ଆନ୍ଦୋଳନକାରୀଙ୍କ ଉପରେ ଆରପିଏଫର ମୃଦୁ ଲାଠିଚାଳନା। ପୁଲିସ ଉପରକୁ ଆନ୍ଦୋଳନକାରୀଙ୍କ ଟେକାପଥର ମାଡ଼ କରିବା ସହ ପୁଲିସ୍ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି।

ଗତକାଲି ସକାଳ ୬ଟାରୁ ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍ କରାଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଥିଲେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ବାମରା ଷ୍ଟେସନରେ ରେଳରୋକ କରିବା ସହ ବାମରା ବନ୍ଦ ପାଳନ କରୁଥିଲେ।

କରୋନା ସମୟରେ ରେଳ ସେବା ବନ୍ଦ ଥିଲା। କରୋନା କଟକଣା ସ୍ୱାଭାବିକ ପରେ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି। ପୂର୍ବରୁ ଏଠାରେ ରହୁଥିବା ୧୨ଟି ଟ୍ରେନର ରହଣୀକୁ ହଟାଇ ଦିଆଯାଇଥିଲା। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା। ସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି କରି ଆନ୍ଦୋଳନ କରୁଥିଲେ। ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂତନ ଟ୍ରେନର ରହଣୀ ଦାବି କରାଯାଇଥିଲା।

ଦାବି କ୍ରମେ ବାମରା ଷ୍ଟେସନରେ ପୂର୍ବରୁ ରହୁଥିବା ସବୁ ଟ୍ରେନ୍‌ ରହିବାକୁ ନିର୍ଦ୍ଦେଶ ମିଳିଥିଲା। ନିର୍ଦ୍ଦେଶନାମା ଜାରି କରିଥିଲେ ଚକ୍ରଧରପୁର ରେଲୱେ ଡିଆରଏମ। ବାମରା ଷ୍ଟେସନ ମ୍ୟାନେଜରଙ୍କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଥିଲେ। ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜିତ ହୋଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାଉଣ୍ଟର ଓ ସିଗ୍ନାଲ ରୁମ୍‌ରେ ତାଲା ପକାଯାଇଥିଲା। ବର୍ତମାନ ଆନ୍ଦୋଳନକାରୀ ପୁଲିସ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.