Odisha Link
Bridging the Missing Links in Odisha

ଓଡ଼ିଶାରେ ଏଚ୍‌୩ଏନ୍‌୨ ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯

ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି

ଓଏଲ୍‌ ବ୍ୟୁରୋ : ସାରା ଦେଶବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଆଉ ଏକ ନୂଆ ଭୂତାଣୁ। ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଏହି ଭୁତାଣୁରେ ଆକ୍ରାନ୍ତ ହୋଇଥିବା ୫୯ ଜଣ ବ୍ୟକ୍ତି। ତେବେ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ଏବଂ ଫେବ୍ରୁଆରୀରେ ୨୨୫ ସାମ୍ପୁଲ ସଂଗ୍ରହ ହୋଇଥିଲା। ସଂଗୃହିତ ସାମ୍ପୁଲ ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ଏହି ସଂକ୍ରମଣକୁ ନଜରରେ ରଖି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ମାଧ୍ୟମରେ ସତର୍କବାଣୀ ଜଣାଇଛନ୍ତି। ଇନଫ୍ଲୁଏଞ୍ଜା ସଂକ୍ରମଣକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦେଶ ଦିଆଯାଇଛି।

ଟେଷ୍ଟ, ଟ୍ରାକ, ଟ୍ରିଟ୍‌ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଘୋଷଣା କରାଯାଇଛି। ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢୁଛି। ଥଣ୍ଡା,କାଶ ସମେତ ଗଳା ଦରଜ ଏବଂ ଜ୍ୱର ରହୁଛି। ଏହାକୁ ଲୋକ ସାଧାରଣତଃ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି। ହେଲେ ଏହାର ଭୟାବହତା ଏବେ ଜଣା ପଡିବା ପରେ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। ଏହି ଭୂତାଣୁ ହରିଆଣାରେ ବ୍ୟାପକ ଭାବେ ବଢିଚାଲିଛି। ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.