Odisha Link
Bridging the Missing Links in Odisha

ହାତୀ ମୃତ୍ୟୁକୁ ନେଇ ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ବିଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ।

ଓଏଲ୍‌ ବ୍ୟୁରୋ : ହାତୀ ମୃତ୍ୟୁ ଏବଂ ହାତୀ ଦ୍ୱାରା ମୃତ୍ୟୁ ହେବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ରାଜ୍ୟରେ ବର୍ତ୍ତମାନ କେତୋଟି ହାତୀ ଅଛନ୍ତି ଏବଂ ଗତ ୧୦ ବର୍ଷ ଭିତରେ କେତେ ହାତୀ ମରିଛନ୍ତି ଓ କେତେ ଲୋକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଏନେଇ ପ୍ରଶ୍ନ କରିଥିଲେ।

ସରକାର ହାତୀ ମୃତ୍ୟୁ ରୋକିବା ପାଇଁ କି କି ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ପାଇଁ ବିଜେପି ବିଧାୟକ ଗୃହରେ ପ୍ରଶ୍ନ ରଖିଥିଲେ। ଏହାର ଉତ୍ତର ଦେଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ହାତୀମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି ସହିତ ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ ଆଦି ବ୍ୟବସ୍ଥା କରାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବିଗତ ୧୦ ବର୍ଷ ଭିତରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ। ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ଆଖି ବୁଜିଥିବାବେଳେ, ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ସେ କହିଛନ୍ତି, ରାଜ୍ୟରେ ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ ୧୯୭୬ଟି ହାତୀ ଅଛନ୍ତି। ଏହି ଘଟଣାରେ ୫୦ ଜଣ ଲୋକଙ୍କ ଉପରେ ଚାର୍ଜସିଟ୍ ହୋଇଥିବାବେଳେ, କୌଣସି ଅଭିଯୁକ୍ତଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଇନି ବୋଲି ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

Leave A Reply

Your email address will not be published.