Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦକୁ ନେଇ ଗୃହରେ ବିରୋଧୀଙ୍କ ସହଯୋଗ ଲୋଡିଲେ ଜଳ ସମ୍ପଦ ମନ୍ତ୍ରୀ

ଓଡ଼ିଶା ପାଇଁ ୨ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ଓଏଲ୍‌ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ବିରୋଧୀଦଳ-ଶାସକଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ସମସ୍ତ ପ୍ରସଙ୍ଗ ମଧ୍ୟରେ ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି, ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳକାୟ ଶିଳ୍ପଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ। ଓଡ଼ିଶା ପାଇଁ ୨ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଵଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି କହିଥିଲେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ।

ଅନ୍ୟପଟେ, ଶୂନ୍ୟକାଳରେ ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଥିଲେ, କୋଟିଆ ଗ୍ରାମପୁଞ୍ଜ ଓ ୨୧ ଗାଁରେ ହସ୍ତକ୍ଷେପ କରୁଛି ଆନ୍ଧ୍ର। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର। ଅନ୍ୟ ରାଜ୍ୟ ସହ ଥିବା ସୀମା ବିବାଦ ନେଇ କଣ ପଦକ୍ଷେପ ନିଆଯାଇଛି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟରେ ବଣିକର କଣ ସଂପର୍କ ରହିଛି। ୫ଟି ସ୍କୁଲକୁ ଦିଆଯାଇଥିବା କଂପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ। ୫ଟି ସଚିବ ଓ ଆଇଟି ସଚିବଙ୍କ ସହ ତାଙ୍କର କଣ ସଂପର୍କ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର। ଗୃହରେ ଏନେଇ ସରକାର ଉତ୍ତର ରଖନ୍ତୁ ଦାବି କରିଛନ୍ତି ଜୟନାରାୟଣ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.