Odisha Link
Bridging the Missing Links in Odisha

ଓଡ଼ିଶାରେ ଗଡ଼ିବ ମେଟ୍ରୋ ଟ୍ରେନ୍, ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗଡିବ ମେଟ୍ରୋ ଟ୍ରେନ୍। ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌। ଭୁବନେଶ୍ୱରରୁ ଖୋର୍ଦ୍ଧା, ଭୁବନେଶ୍ୱରରୁ ପୁରୀ, ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ହୋଇଥିଲା।

ସୂଚନା ଅନୁସାରେ, ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆଜି ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ, ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର, ଅନୁ ଗର୍ଗ। ସମୀକ୍ଷା ବେଳେ, ପରିବହନ ସଚିବ ଉଷା ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥ୍ୟୁ ଭାଥନମ, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମୀକ୍ଷା ଉପସ୍ଥିତ ଥିଲେ।

କେଉଁ କେଉଁ ରୁଟ୍ ଦେଇ ମେଟ୍ରୋ ଟ୍ରେନ୍ ଯିବ, ତାର ସମୀକ୍ଷା କରାଯାଇଛି। ଏଥିସହ ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଓ ସମସ୍ତ ଦିଗ ଉପରେ ରିଭ୍ୟୁ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି। ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଳିଆରେ କରାଯାଇଛି ଏହି ରିଭ୍ୟୁ। ତେବେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.