Odisha Link
Bridging the Missing Links in Odisha

ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ: ପ୍ରସନ୍ନ ଆଚାର୍ଯ୍ୟ

ଉପ-ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ। ଝାରସୁଗୁଡା ଉପନିର୍ବାଚନ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ବିପୁଳ ଭୋଟରେ ବିଜୟୀ ହେବ।

ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ପୁରପଲ୍ଲୀରେ ଆମେ ସଂଗଠିତ ଦଳ, ଶୃଙ୍ଖଳିତ ଦଳ ଏବଂ ଦଳ ସବୁ ପରିସ୍ଥିତିରେ ଆତ୍ମବିଶ୍ୱାସର ସହ ସମ୍ମୁଖୀନ ହୁଏ। ଅତୀତରେ ଅନେକ ଉପନିର୍ବାଚନ ହୋଇଛି ଓ ୯୦ ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହୋଇଛି। ୩ ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଲା ଓ ବିପୁଳ ଭୋଟରେ ବିଜେଡି ବିଜୟ ହେଲା। ଝାରସୁଗୁଡା ଉପନିର୍ବାଚନ ଘୋଷଣା ହୋଇସାରିଛି, ଦଳ ସଭାପତି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଆମର ବିଶ୍ୱାସ ଅଛି ଯେ ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ ବୋଲି କହିଛନ୍ତି ବିଜୁ ଜନତା ଦଳର ଉପ-ସଭାପତି।

ସେ ଆହୁରି ମଧ୍ୟ କହିଛନ୍ତି, ଦଳ ସଭାପତିଙ୍କ ନିର୍ଦ୍ଦେଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁ, ଝାରସୁଗୁଡାରେ ଦଳ ଯାହାକୁ ଯେଉଁ ଦାୟିତ୍ୱ ଦେବ ସମସ୍ତେ ନିର୍ବାହ କରିବେ। ବିରୋଧୀ ଦଳ ଅନେକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବେ କିନ୍ତୁ ଆମ ପ୍ରସଙ୍ଗ ହେଉଛି ଜନସାଧାରଣଙ୍କ ବିକାଶ। ବିଜେଡିର ମୁଖ୍ୟ ପ୍ରସଙ୍ଗ ହେଉଛି ବିକାଶ। ଝାରସୁଗୁଡାରେ ବିକାଶର ପ୍ରକ୍ରିୟା ଚାଲିଛି। ସେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରାଯିବ। ନବ ଦାସଙ୍କ ସମୟରେ ଝାରସୁଗୁଡାର ବହୁ ବିକାଶ ହୋଇଛି, ଅନେକ ପ୍ରକଳ୍ପ ସରିଛି। ନିର୍ବାଚନରେ ବିଜେଡି ବିଜୟ ହେବ। ସବୁ ରେକର୍ଡ ଭାଙ୍ଗି ବିଜେଡି ପ୍ରାର୍ଥୀ ଝାରସୁଗୁଡାରେ ବିଜୟୀ ଲାଭ କରିବେ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।

ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଆସନ୍ତା ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ଏପ୍ରିଲ।

Leave A Reply

Your email address will not be published.