ଆଜିଠୁ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
୨୦୧୦ ଓ ୨୦୧୫ରେ ଜାପାନ ଗ୍ରୁପ ଓ ନିବେଶକଙ୍କ ସହ ଆଲୋଚନା ହୋଇଥିଲା ବୋଲି ସୂଚନା ଦେଇଥିଲେ।

ଓଏଲ୍ ବ୍ୟୁରୋ: ଆଜି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କ ସହ କରିବେ ଆଲୋଚନା। ନବୀନଙ୍କ ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତ କରୁଛନ୍ତି। ରୋମ, ଦୁବାଇ ପରେ ଜାପାନରେ ନିବେଶକଙ୍କୁ ନିମନ୍ତ୍ରଣ କରିବେ ନବୀନ। ଜାପାନ ଗ୍ରୁପକୁ ରାଜ୍ୟ ସରକାରଙ୍କ ପ୍ରତିନିଧି ପୂର୍ବରୁ ଭେଟିଥିଲେ। ୨୦୧୦ ଓ ୨୦୧୫ରେ ଜାପାନ ଗ୍ରୁପ ଓ ନିବେଶକଙ୍କ ସହ ଆଲୋଚନା ହୋଇଥିଲା ବୋଲି ସୂଚନା ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପୂର୍ବରୁ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଜାପାନରେ ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ଶିଳ୍ପ ଅଛି। ଆଉ ସେଠାରୁ ନିବେଶକ ଆସି ନିବେଶ କଲେ କ୍ଷୁଦ୍ର ଶିଳ୍ପ ସଂସ୍ଥା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବ ନେଉଛନ୍ତି ବିଦେଶରୁ ଅଧିକ ପୁଞ୍ଜି ଆଣିବା ପାଇଁ। ତେଣୁ ଏହି ଗସ୍ତରୁ ଓଡ଼ିଶା ଲାଭ ପାଇବ। ବିଦେଶରୁ ପୁଞ୍ଜି ଆଣିବାରେ ଦେଶରେ ୩ଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ବ ଦେଉଛନ୍ତି। ସାରା ଦେଶରେ ପୁଞ୍ଜିନିବେଶ ଓଡ଼ିଶା ବଡ ସଫଳତା ପାଇଛି। ଆମେ ନୂଆ ଶିଳ୍ପ ନୀତି ଆଣିଛୁ ବୋଲି କହିଥିଲେ ଦେବୀପ୍ରସାଦ ମିଶ୍ର।
ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ଦୁବାଇ ଆଦିରେ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ତେଣୁ ଜାପାନ ସମ୍ମିଳନୀରେ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି। ଡିସେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗଦେଇଥିଲେ। କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଣିଜ୍ୟିକ ସମ୍ପର୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ କରିବା ସମ୍ଭାବନା ରହିଛି।