Odisha Link
Bridging the Missing Links in Odisha

ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଆଙ୍କ ସ୍ଥାନ କେଉଁଠି: ବିଜୟ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରୋମ, ଦୁବାଇ ଓ ଏବେ ଜାପାନ ଗଲେ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି। ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶ ପାଇଁ ଜାପାନ ଗସ୍ତରେ ଯାଇଥିବାବେଳେ ତାଙ୍କ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।

ଓଡ଼ିଶାରେ ଓଡ଼ିଆ ନିବେଶକଙ୍କୁ କାହିଁକି ହତାଦର କରାଯାଉଛି ଓ ସରକାରୀ ଖର୍ଚ୍ଚରେ ବ୍ୟୟବହୁଳ ବିଦେଶ ଗସ୍ତ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ। ୬ ବର୍ଷରେ ମାତ୍ର ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ୧୩୬୮କୋଟି ଟଙ୍କାର ନିବେଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରୋମ, ଦୁବାଇ ଓ ଏବେ ଜାପାନ ଗଲେ, ଓଡ଼ିଶା ଓ ଓଡ଼ିଆଙ୍କ କ’ଣ ସ୍ୱାର୍ଥସାଧନ ହେଉଛି ବୋଲି କହି ବିଜୟ କଟାକ୍ଷ କରିଛନ୍ତି।

ବିଜୟ ପଟ୍ଟନାୟକ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ବଳରେ ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ମୋଟ ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ମାତ୍ର ୧୩୬୮କୋଟି ଟଙ୍କାର ନିବେଶ କରିଛନ୍ତି। କିନ୍ତୁ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ଓଡ଼ିଶାକୁ ମୋଟ୍ ୧୬ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ବୋଲି ସରକାର କହୁଛନ୍ତି। ଯଦି ଏତେ ସ୍ୱଳ୍ପ ପରିମାଣର ବିଦେଶୀ ନିବେଶ ପାଇବାର ଅଛି ତା’ହେଲେ ବ୍ୟୟବହୁଳ ବିଦେଶ ଗସ୍ତର ଲାଭ ଓଡ଼ିଶାବାସୀଙ୍କୁ କିଭଳି ମିଳୁଛି? ସରକାରଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ରଖିବାକୁ ବିଜୟ ଦାବି କରିଛନ୍ତି।

୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନରେ ୨୦.୫୯କୋଟି ଟଙ୍କା ଓ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୩୪.୫୧କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ତଥ୍ୟ ସରକାର ଦେଇନାହାନ୍ତି। କିନ୍ତୁ ଯାହା ଲାଗୁଛି ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବ। ତେଣୁ ଏହି ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ମିଶାଇଲେ ମୋଟ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଜନତା ମଇଦାନରେ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭବେଳେ ମଂଚରେ କେବଳ ଜଣେ ଓଡ଼ିଆ ନିବେଶକଙ୍କୁ ଦେଖିବାକୁ ମିଳିଲା।

ଏ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ ଓଡ଼ିଆ ନିବେଶଙ୍କ ପାଇଁ ସ୍ଥାନ ନାହିଁ। କେବଳ ଅଣଓଡ଼ିଆ ଏଥିରେ ସାମିଲ ହେବେ କି? ଓଡ଼ିଶାର ଖଣି, ପାଣି ଓ ପବନ ପାଇଁ ଏହି ଅଣଓଡ଼ିଆ ନିବେଶକମାନେ ଓଡ଼ିଶାକୁ ଆସୁଛନ୍ତି, ମାତ୍ର ଓଡ଼ିଆ ନିବେଶକ ସେଥିରୁ ବଂଚିତ ହେଉଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଆଙ୍କ ସ୍ଥାନ କେଉଁଠି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ବିଜୟ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୮୪ଟି ପ୍ରକଳ୍ପରେ ୨ଲକ୍ଷ ୩ହଜାର ୨୩୫କୋଟି ଟଙ୍କାର ନିବେଶ ମିଳିଛି। ଏଥିରେ ୮୦ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି। ସେହିପରି ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨୦୨ଟି ପ୍ରସ୍ତାବ ମାଧ୍ୟମରେ ୪ଲକ୍ଷ ୨୩ହଜାର ୧୧୫କୋଟି ଟଙ୍କାର ନିବେଶ ହୋଇଛି। ଏଥିରେ ୨ଲକ୍ଷ ୪୧ହଜାର ୫୧୮ଜଣଙ୍କୁ ନିଯୁକ୍ତି ମିଳିଛି।

ଏ ଯେଉଁ ନିଯୁକ୍ତିର ତଥ୍ୟ ସରକାର ଦେଉଛନ୍ତି ତାକୁ ଭେରିଫାଏ କରୁଛି କିଏ। କେଉଁ ଅଧିକାରୀ ଏହାକୁ ପ୍ରମାଣିତ କରୁଛନ୍ତି। ଶିଳ୍ପ ବିଭାଗ, ନା ଜିଏସଟି, ନା ଶ୍ରମ ବିଭାଗ ନା ଜିଲ୍ଲାପାଳ। କେହି ତ ଜଣେ କରୁଥିବେ। ନା ଶିଳ୍ପ ସଂସ୍ଥାମାନେ ଯାହା ତଥ୍ୟ ଦେଉଛନ୍ତି ସରକାର ତାକୁ ଉପସ୍ଥାପନ କରିଦେଉଛନ୍ତି। ସେମାନଙ୍କୁ ମିଳୁଥିବା ତଥ୍ୟ ନିଶ୍ଚିତ ଭାବେ ପ୍ରମାଣିକ ତଥ୍ୟଭିତ୍ତିକ ହେବା ଉଚିତ୍।

୨୦୧୬ରେ ୮୦ହଜାର ଓ ୨୦୧୮ରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି ବୋଲି ସରକାର ଯାହା କହୁଛନ୍ତି ସେଥିରେ କେତେ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି ତା’ର ଉତ୍ତର ଦେବାକୁ ବିଜୟ ପଟ୍ଟନାୟକ ଦାବି କରିଛନ୍ତି। ସରକାର କେବଳ ପରିସଂଖ୍ୟାନ ନରଖି, ପ୍ରକୃତ ସତ କ’ଣ ତାହା ସର୍ବସାଧାରଣରେ ରଖନ୍ତୁ ଓ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ତା’ର ତଥ୍ୟ ରଖିବାକୁ ବିଜୟ ପଟ୍ଟନାୟକ ଦାବି କରି ଗଣମାଧ୍ୟମ ସାମ୍ନାରେ ନିଜର ମତ ରଖିଥିଲେ।

Leave A Reply

Your email address will not be published.