ଝାରସୁଗୁଡା ଉପ-ନିର୍ବାଚନ: ବିଜେଡିର ୩ ନେତାଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ।
ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିବା ପରେ ଶାସକ ଦଳ ଏବେ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରିଛି। ଦଳର ୩ ଜଣ ନେତାଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ଦିଆଯାଇଛି।
ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଆସନ୍ତା ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ଏପ୍ରିଲ।