ନବୀନ ବାବୁଙ୍କୁ ପଚାରନ୍ତୁ, ରତ୍ନଭଣ୍ଡାର ଚାବି ଗଲା କୁଆଡେ: ମନମୋହନ ସାମଲ
କେନ୍ଦ୍ର ସରକାର ଆଇନ କଲେ ପଲିସି କଲେ, ତାକୁ ମଧ୍ୟ ରାଜ୍ୟ ସରକାର ମାନିଲେ ନାହିଁ କି ପ୍ରଣୟନ କଲେ ନାହିଁ ବୋଲି ମନମୋହନ କହିଛନ୍ତି।

ଓଏଲ୍ ବ୍ୟୁରୋ: ରାଜ୍ୟ ବିଜେପିର ନୂତନ ମୁଖିଆ ଭାବେ ଦାଇତ୍ୱ ଗ୍ରହଣ କରିଥିବା ମନମୋହନ ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପ୍ରସଙ୍ଗରେ ମନମୋହନ ସାମଲ କହିଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଲୋକଙ୍କୁ ବୋକା ବନାଇବା। ଓଡ଼ିଶା ଲୋକ ବହୁତ ଥର ବୋକା ବନିଲେଣି ଆଉ ବୋକା ବନିବେ ନାହିଁ।
ମନମୋହନ ସାମଲ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଭିତ୍ତିଭୂମି, ଶିଳ୍ପ ଅନୁକୂଳ ପରିବେଶ ତିଆରି ହୋଇପାରିଲା ନାହିଁ। ଯେଉଁମାନେ ଆସିଲେ ତାଙ୍କର ଚପଲ ଛିଣ୍ଡି ଗଲା ହେଲେ ଜମି ମିଳିଲା ନାହିଁ, ଭିତ୍ତିଭୂମି ମିଳିଲା ନାହିଁ। ଖାଲି ସେତିକି ନୁହେଁ, ଆରଏନଆର ପଲିସିକୁ କାର୍ଯ୍ୟକାରୀ କରାଗଲା ନାହିଁ। କେନ୍ଦ୍ର ସରକାର ଆଇନ କଲେ ପଲିସି କଲେ, ତାକୁ ମଧ୍ୟ ରାଜ୍ୟ ସରକାର ମାନିଲେ ନାହିଁ କି ପ୍ରଣୟନ କଲେ ନାହିଁ ବୋଲି ମନମୋହନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ବହୁତ ଥର ବହୁତ ଦେଶ ଗଲେଣି। ଯେତେବେଳେ କୁଆଡେ ଯାଇନଥିଲେ, ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓଡିଶାକୁ ମିଳିଥିଲା। ହେଲେ ଆଜିକୁ ୨୫ ବର୍ଷ ଭିତରେ ସେହି ୭ ଲକ୍ଷ କୋଟିର ପୁଞ୍ଜିର ୧୦ ପ୍ରତିଶତ କି ୨୦ ପ୍ରତିଶତ ମଧ୍ୟ ବିନିଯୋଗ ହୋଇପାରିଲା ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡ଼ି ନେତାଙ୍କ ଘରେ ଆଇଟି ରେଡ୍ ହେଉଛି। ଯଦି ସେମାନେ ସଚ୍ଚୋଟ ଅଛନ୍ତି ତେବେ ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଉଛନ୍ତି ମନମୋହନ। ବିଜେପି ନେତା ଯଦି ଇନକମ୍ ଟ୍ୟାକ୍ସ ଦେବେ ନାହିଁ, ସେମାନଙ୍କ ଘରେ କଣ ରେଡ୍ ହେବ ନାହିଁ ନା ଧରାଯିବ ନାହିଁ। ବିଜେପି କେବେ କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁନି, ସେମାନେ ଛାଇ ଦେଖିକି ଡରୁଛନ୍ତି। ସେମାନେ ହଜାର ହଜାର କୋଟି ଟଙ୍କାର ପାହାଡ଼ ଉପରେ ବସିଛନ୍ତି। ତେଣୁ ତାଙ୍କୁ ଭୟ ଅଛି, ଛାନିଆ ହେଉଛନ୍ତି, ବ୍ୟସ୍ତ ହେଉଛନ୍ତି ବୋଲି ମନମୋହନ କହିଛନ୍ତି।
ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ମନମୋହନ ସାମଲ କହିଛନ୍ତି, ରତ୍ନଭଣ୍ଡାର କାହିଁକି ଖୋଲୁନାହିଁ ବୋଲି ପ୍ରଶ୍ନ କରିବା ସହ ନବୀନ ବାବୁଙ୍କୁ ପଚାରନ୍ତୁ, ରତ୍ନଭଣ୍ଡାର ଚାବି ଗଲା କୁଆଡେ ବୋଲି କହିଛନ୍ତି ମନମୋହନ ସାମଲ। ହାଇକୋର୍ଟ ଅର୍ଡର ଦେଲା ପରେ ବି ଏହା କାର୍ୟ୍ୟକାରୀ କାହିଁକି ହେଉ ନାହିଁ, ନବୀନ ବାବୁଙ୍କୁ ପଚାରିଲେ ସେ ଉତ୍ତର ଦେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।