ଅତାବିରା ଏନ୍ଏସି ନିର୍ବାଚନରେ ବାଜି ମାରିଲା ବିଜେଡି
ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି

ଓଏଲ୍ ବ୍ୟୁରୋ: ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡିର ବାଜିମାତ। ବରଗଡ଼ ଅତାବିରା ଏନ୍ଏସି ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି। ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଜଣା ପଡିଛି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ଲାଭ କରିଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଅତାବିରା ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ଅତାବିରା ନିର୍ବାଚନମଣ୍ତଳୀରୁ ପ୍ରତିନିଧିତ୍ବ କରୁଥିବା ବିଧାୟିକା ସ୍ନେହା˚ଗିନୀ ଛୁରିଆ।
ଅତାବିରା ଏନ୍ଏସି ନିର୍ବାଚନ ପାଇଁ ବିଜେଡିର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ମହେନ୍ଦ୍ର ବଢ଼େଇ, ସାଧୁ ନେପାକଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା। ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଚାଲିଛି।