Odisha Link
Bridging the Missing Links in Odisha

ବିଜେପିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର

ଜାତୀବାଦ ଓ ବଂଶବାଦର କଂଗ୍ରେସର ସଂସ୍କୃତୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ କର୍ମୀଙ୍କୁ ମନ୍ତ୍ର ଦେବା ସହ ଅନ୍ୟ ରାଜନୈତିକ ଦଳକୁ ନେଇ ମୋଦି ନିଜର ବକ୍ତବ୍ୟ ରଖିଥିଲେ। ୨୦୧୪ ମସିହାରୁ କେବଳ ସରକାର ପରିବର୍ତନ ନୁହେଁ ବରଂ ଭାରତର ନୁଆ ଯାତ୍ରାର ଶଙ୍ଖନାଦ ହୋଇଥିବା ମୋଦୀ କହିଛନ୍ତି। ମୋଦି ନିଜର ମନ୍ତବ୍ୟ ମାଧ୍ୟମରେ ପ୍ରଭୁ ହନୁମାନଙ୍କ ଜୀବନ ଭାରତର ବିକାଶ ଯାତ୍ରାରେ ପ୍ରେରଣା ଦେଇଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କାର୍ଯ୍ୟକ୍ରମରେ ନିଜର କର୍ମକର୍ତ୍ତାଙ୍କ ପ୍ରଶଂସା କରି କହିଛନ୍ତି, ବିଜେପିର ସ୍ଥାପନ ହେବାଠୁ ନେଇ ଆଜି ଯାଏଁ, ଯେଉଁ ମହାନ ବ୍ୟକ୍ତିତ୍ୱ ଦଳକୁ ଆଗକୁ ବଢାଇବାରେ ସହାୟକ ହୋଇଛନ୍ତି, ଦଳକୁ ମଜଭୁତ କରିବାରେ ପ୍ରମୁଖ ଭୂମୀକା ଗ୍ରହଣ କରିଛନ୍ତି ସେମାନଙ୍କୁ ମୁଁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି। କର୍ମକର୍ତ୍ତାଙ୍କୁ ଭଗବାନ ହନୁମାନଙ୍କ ଉଦାହରଣ ଦେଇ କହିଛନ୍ତି, ହନୁମାନଙ୍କ ପାଖରେ ଅସିମ ଶକ୍ତି ଅଛି। କିନ୍ତୁ ଏହି ଶକ୍ତିର ବ୍ୟବହାର ସେତେବେଳେ କରିପାରିଥାନ୍ତି, ଯେତେବେଳେ ନିଜ ଉପରେ ତାଙ୍କର ସନ୍ଦେହ ନଥାଏ।

ଅନ୍ୟପକ୍ଷେ ନିଜର ମନ୍ତବ୍ୟ ମାଧ୍ୟମରେ କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଜେପିକୁ ଛାଡିଦେଲେ ଅନ୍ୟ ସମସ୍ତ ପାର୍ଟି ଜାତୀବାଦ, ବଂଶବାଦୀଙ୍କର ବଂଶଜ ଅଟନ୍ତି। ଜାତୀବାଦ ଓ ବଂଶବାଦର କଂଗ୍ରେସର ସଂସ୍କୃତୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି ମଧ୍ୟ କହିଛନ୍ତି, ବିଜେପିର ମଜାକ୍ ଉଡାଉଛନ୍ତି ବିରୋଧୀ ଦଳ। ଦୁର୍ନୀତିରେ ଲିପ୍ତ ଥିବା ଲୋକେ ମିଛ କହୁଛନ୍ତି। ଦୁର୍ନୀତିର ପେଡ଼ି ଖୋଲୁଥିବା ଦେଖି ହତାଶ ହୋଇ ପଡୁଛନ୍ତି। ଦେଶର ସାଧାରଣ ଲୋକ ଆଜି ବିଜେପି ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗରିବ, ସାଧାରଣ ଲୋକ ଓ ଯୁବବର୍ଗ ବିଜେପିକୁ ଭରସା କରୁଛନ୍ତି। ଦେଶର ବିକାଶ ଓ ଲୋକଙ୍କ କଲ୍ୟାଣ ବିଜେପିର ପ୍ରାଥମିକତା ବୋଲି ନିଜର ମନ୍ତବ୍ୟ ମାଧ୍ୟମରେ ମୋଦି କହିଛନ୍ତି।

Leave A Reply

Your email address will not be published.