Odisha Link
Bridging the Missing Links in Odisha

ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୪ ଜଣ ଗିରଫ

ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି।

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ଜାରି ରହିଥିବାବେଳେ ନକଲି ସାର୍ଟିଫିକେଟ୍‌ ଲିଙ୍କ୍‌ରେ ଆଉ ୪ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୁଲିସ।

ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିବା ଏହି ବ୍ୟକ୍ତିମାନେ ଯାଞ୍ଚ ସମୟରେ ଧରାପଡ଼ିଛନ୍ତି।

ଖବର ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟାଲ ଅଧୀକ୍ଷକଙ୍କ ସହ ଆଲୋଚନା ଜାରି କରିଥିଲା। ପୂର୍ବରୁ ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ, କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମ୍ନାକୁ ଆସିଥିଲା। କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା।

Leave A Reply

Your email address will not be published.