Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟରେ ପତ୍ନୀ, ଏପଟେ ସୁପର ସ୍ପେଲରେ ବ୍ୟାଟସମ୍ୟାନଙ୍କୁ ଘାଇଲା କଲେ ସାମି

ଓଏଲ୍‌ ବ୍ୟୁରୋ: ପୁଣିଥରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ପେସ୍‌ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀିହସିନ୍‌ ଜାହାଁଙ୍କ କଳି ଚର୍ଚ୍ଚାରେ। ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ହେଲା ବିବାଦରେ ଥିବା ସାମିଙ୍କ ବିରୁଦ୍ଧରେ ପୁଣି ଆଇନର ଆଶ୍ରୟ ନେଇଛନ୍ତି ସ୍ତ୍ରୀ ହସିନ ଜାହାଁ। ଏଥର ସାମିଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ହସିନ୍। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲାରେ ସୁପର ସ୍ପେଲ ପକାଇ ବ୍ୟାଟସମ୍ୟାନଙ୍କୁ ଘାଇଲା କଲେ ସାମି।

ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ପରେ ହସିନ୍‌ ଜାହାଁ କହିଛନ୍ତି, ୪ ବର୍ଷ ହେଲା ସାମିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରୁଥିଲେ ହେଁ ପୁଲିସ ତାହା କରୁନାହିଁ। ସେ ଆହୁରି କହିଛନ୍ତି, ସାମି ପୂର୍ବଭଳି ଅନ୍ୟ ମହିଳାଙ୍କ ସହିତ ଏବେବି ଅନୈତିକ ସମ୍ପର୍କ ରଖୁଛନ୍ତି। ଏପରିକି ସାମି ବାରମ୍ବାର ଯୌତୁକ ଦାବି କରୁଥିବା କଥା କହିଛନ୍ତି ହସିନ୍।

ପ୍ରଥମଥର ପାଇଁ ୨୦୧୮ରେ ମହମ୍ମଦ ସାମିଙ୍କ ବିରୁଦ୍ଧରେ ପାରିବାରିକ ଅତ୍ୟାଚାର ଓ ବ୍ୟଭିଚାର ଅଭିଯୋଗ ଆଣିଥିଲେ ପତ୍ନୀ ହସିନ୍‌ ଜାହାଁ। ଯାଦବପୁର ପୁଲିସ ଷ୍ଟେସନରେ ଏଭଳି ସାଂଘାତିକ ଅଭିଯୋଗ ଆଣିବା ପରେ ଦେଶବ୍ୟାପୀ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ପତ୍ନୀଙ୍କ ଦ୍ବାରା ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ସାମି। ଏପରିକି ଦୀର୍ଘ ଦିନ ଧରି ମାନସିକ ଅବସାଦରେ ମଧ୍ୟ ରହିଥିଲେ ସାମି। ଯାହାରିଫଳରେ ସେ କିଛି ଦିନ ପାଇଁ କ୍ରିକେଟରୁ ମଧ୍ୟ ଦୂରେଇ ରହିଥିଲେ।

ସାମିଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ହସିନ୍‌ ଦ୍ବାରସ୍ତ ହୋଇଥିବାବେଳେ ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ଶାନଦାର ପ୍ରଦର୍ଶନ କରି ଏବେ ଚର୍ଚ୍ଚାରେ ସାମି। ଆଜି ଖେଳାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶାନଦାର ବୋଲିଂ ପ୍ରଦର୍ଶନ କରିଛନ୍ତି ସାମି। ସାମି ୪ ଓଭର ବୋଲିଂ କରି ମାତ୍ର ୧୧ ରନ୍‌ ଦେଇ ବହୁମୂଲ୍ୟ ୪ଟି ଓ୍ବିକେଟ ନେଇଥିଲେ। ସାମି ତାଙ୍କ ଓପନିଂ ସ୍ପେଲରେ ଦିଲ୍ଲୀ ବ୍ୟାଟସମ୍ୟାନଙ୍କୁ ଘାଇଲା କରିଥିଲେ। ଆଉ ଗୋଟିଏ ପରେ ଗୋଟିଏ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିଅନ ପଠାଇଥିଲେ।

ସୂଚନଥାଉକି, ୨୦୧୮ ମସିହାରେ ହସିନ ଯେଉଁ ଅଭିଯୋଗ ଆଣିଥିଲେ ତାର ଉତ୍ତରରେ ସାମି କହିଥିଲେ ଯେ, ଯଦି ହସିନଙ୍କ କୌଣସି ବି ଅଭିଯୋଗ ସତ ହୁଏ ତେବେ ଯାହା ଦଣ୍ଡ ମିଳିବ ତାହା ଗ୍ରହଣ କରିବା ସହିତ ହସିନଙ୍କୁ କ୍ଷମା ମାଗିବି ବୋଲି କହିଥିଲେ। ଅନ୍ୟପଟେ ହସିନ୍‌ଙ୍କ ଭରଣପୋଷଣ ପାଇଁ ମାସିକ ୫୦ ହଜାର ଟଙ୍କା ଦେବାକୁ ୨୦୨୩ ଜାନୁଆରୀରେ ସାମିକୁ କୋଲକାତା କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରି ମାସିକ ୧୦ ଲକ୍ଷ ଟଙ୍କା ଲେଖାଏଁ ଦାବି କରିଥିଲେ। ସୂଚନାଯୋଗ୍ୟ,୨୦୧୮ରୁ ହିଁ ସାମି ଓ ହସିନ୍‌ ଅଲଗା ରହୁଛନ୍ତି।

Leave A Reply

Your email address will not be published.