Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା: କ୍ଷମା ମାଗିଲେ କୁଳପତି, ସ୍ପଷ୍ଟୀକରଣ ରଖିଲା ଟାଟା ପାଓ୍ବାର

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ସମୟରେ ବିଦ୍ୟୁତ ଚାଲିଯିବା ପ୍ରସଙ୍ଗ ଏବେ ଓଡ଼ିଶାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ। ଆଜି ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଚାଲିଗଲା ବିଦ୍ୟୁତ। ଫଳରେ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି। ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଏକ ନିନ୍ଦା ସଦୃଶ ହୋଇଥିବାବେଳେ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ଟାଟା ପାୱାର।

ସାରା ରାଜ୍ୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍ପଷ୍ଟିକରଣ ରଖି ଟାଟା ପାୱାର କହିଛି ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାଓ୍ବାର କଟ୍ ହୋଇନାହିଁ। ତେଣୁ ଏହି ତ୍ରୁଟି ପାଇଁ ଟାଟା ପାୱାର ଦାୟୀ ନୁହେଁ। ଏହାସହିତ କାର୍ଯ୍ୟକ୍ରମ ସ୍ଥଳରେ କୌଣସି ୱାରିଂ ସମସ୍ୟା ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ମହାମହିମ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଜଣେ ନିଲମ୍ବିତ। ସେ ହେଲେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ଜୟନ୍ତ ତ୍ରିପାଠୀ। ସେପଟେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି।

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି, ସମାବର୍ତ୍ତନ ଉତ୍ସବ ସମାରୋହ ଅନୁଷ୍ଠିତ ହେଉଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ବି ସେ ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ବି ଠିକ୍ ଲାଇଟ୍ କଟିବା ସମୟରେ କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା। ଦୁଃଖ ପ୍ରକାଶ କରି ସେ ଆହୁରି କହିଛନ୍ତି, ‘ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ।

Leave A Reply

Your email address will not be published.