Odisha Link
Bridging the Missing Links in Odisha

୧୨ ଦଫା ଦାବି ନେଇ ଓଡ଼ିଶାର ୭ଟି ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ

ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି।

ଓଏଲ୍‌ ବ୍ୟୁରୋ: କଳାହାଣ୍ଡି ମାଓବାଦୀ ଓଡ଼ିଆ ରାଜ୍ୟ କମିଟି ପ୍ରବକ୍ତାଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଅଡିଓ ବାର୍ତ୍ତା ଜାରି କରାଯାଇଥିଲା। ରାଜ୍ୟର ୭ ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ରାୟଗଡା, ବୌଦ୍ଧ, ନୟାଗଡ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ମେ ୧୫ ଅର୍ଥାତ ଆଜି ୨୪ ଘଣ୍ଟା ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିଲା। ଏହି ବନ୍ଦ ସମୟରେ ଜରୁରୀକାଳୀନ ସେବା ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ବାଦ ଦିଆଯାଇଛି। ଆଜି ରାଜ୍ୟର ୭ ଜିଲ୍ଲାରେ ବନ୍ଦ ପାଳନ କରୁଛନ୍ତି ମାଓବାଦୀ। ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଛନ୍ତି। ବଂଶଧାରା ଘୁମୁସୁରା ନାଗବଳୀ ଡିଭିଜନ ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପଙ୍କାଳଗୁଡି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛି। ଏଥିପାଇଁ ଚନ୍ଦ୍ରପୁର ମୁନିଗୁଡା ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି।

ଖବର ଅଣୁଅସ୍ତ୍ରଇ, ୧୨ ଦଫା ଦାବିରେ ମାଓବାଦୀଙ୍କ ଅଡିଓ ବାର୍ତ୍ତା ଜାରି କରାଯାଇଥିଲା ଯାହାକୁ ନେଇ ଆଜି ବନ୍ଦ ପାଳନ କରାଯାଉଛି। ମାଓବାଦୀଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ପ୍ରଥମ ଦାବି ହେଲା ଆଦିବାସୀଙ୍କୁ ୬ ମାସ ମଧ୍ୟରେ ଆବାସ ଘର ଯୋଗେଇଦେବା। ଦ୍ୱିତୀୟ ଦାବି ହେଲା ଗରିବ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ସହିତ ଡାଲି, ଲୁଣ ତେଲ ଯୋଗେଇଦେବା। ତୃତୀୟ ଦାବି ହେଲା ପ୍ରତି ଗାଁକୁ ପକ୍କା ରାସ୍ତା, ପାନୀୟ ଜଲ ଏବଂ ୧୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ। ଚତୁର୍ଥ ଦାବି ହେଲା ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ଏବଂ ଆବଶ୍ୟକତା ହିସାବରେ ଶିକ୍ଷକ ଯୋଗାଇଦେବା। ପଞ୍ଚମ ଦାବି ହେଲା ଦଳିତ ଏବଂ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ।

ଷଷ୍ଠ ଦାବି ହେଲା ବୟସ୍କ ଏବଂ ବିକଳାଙ୍ଗ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା। ସପ୍ତମ ଦାବି ହେଲା ଠକେଇ କରି ଆଦିବାସୀଙ୍କ ଜମି ନେଇ ଥିବା ଜମି ଫେରେଇଦେବା ସହିତ ଏହି ଅଞ୍ଚଳରେ ବିକାଶ କରିବା। ଅଷ୍ଟମ ଦାବି ହେଲା ପେଶା ଆଇନ ଲାଗୁକରି ଦଳିତ ଆଦିବାସୀ, ପାରମ୍ପରିକ ବନବାସୀଙ୍କୁ ୧୫ ଏକର ଲେଖାଏଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା। ନବମ ଦାବି ହେଲା ବେକାରୀଙ୍କୁ ବେକାରୀ ଭତ୍ତା ୩୦୦୦ଟଙ୍କା ପ୍ରଦାନ ଏବଂ ଦାଦନ ସମସ୍ୟା ରୋକିବା ପାଇଁ ରୋଜଗାର ଯୋଗେଇ ଦେବା।

ଦଶମ ଦାବି ହେଉଛି, ମନରେଗାରେ ୧୦୦ ବଦଳରେ ୨୦୦ ଦିନର ମଜୁରୀ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ଦେବା। ଏକାଦଶ ଦାବି ହେଉଛି, ଶିଆଳି ପତ୍ର କେନ୍ଦୁପତ୍ରକୁ ଜିଏସଟିରୁ ବାଦ ଦେଇ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା। ଦ୍ୱାଦଶ ଦାବି ହେଉଛି, ବହୁ ରାଷ୍ଟ୍ର କମ୍ପାନୀ ବେଦାନ୍ତ, ଅମ୍ବାନୀ ଆଡ଼ନୀ ଭଳି କମ୍ପାନୀଙ୍କୁ ଦିଆ ଯାଇଥିବା ସବୁ ଲିଜ ବାତିଲ କରିବା ସହିତ ଖଣି ଭିତ୍ତିକ ଶିଳ୍ପ ବଦଳରେ କୃଷି ଅନୁବାନ୍ଧିତ ଶିଳ୍ପ ପ୍ରତିଷ୍ଠାନ କରିବା ସହିତ ଜଙ୍ଗଲ ଜଳ ଜମି ଅଧିକାର ଦେବା।

Leave A Reply

Your email address will not be published.