Odisha Link
Bridging the Missing Links in Odisha

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଦୁଇ ବରିଷ୍ଠ ନେତା, ଚର୍ଚ୍ଚାରେ କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଥିଲେ।

ଓଏଲ୍‌ ବ୍ୟୁରୋ: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ! କାହା ନାଁରେ ବାଜିବ ମୋହର? ଏଭଳି ଅନେକ ପ୍ରଶ୍ନ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଗୋଟେ ପଟେ ସଭାପତି ଡି.କେ ଶିବକୁମାର ଓ ଅନ୍ୟପଟେ ବରିଷ୍ଠ ନେତା ସିଦ୍ଦରମୈୟା। କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେ ବି ନିଷ୍ପତ୍ତି ହୋଇପାରି ନାହିଁ। କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡିବସିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବି ଦୌଡରୁ ନିଜକୁ ଦୂରେଇ ନାହାଁନ୍ତି।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଙ୍କ କଷା ଭିତରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଦରମୈୟା। ଯାହାକୁ ନେଇ ଚର୍ଚ୍ଚା ଏବଂ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ପରେ ବିଜୟ ଉତ୍ସବ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ ସମସ୍ତଙ୍କୁ ଭଲ ଲାଗେ। କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଥିଲେ।

ଏହାସହ କଂଗ୍ରେସର ବିଜୟ ପାଇଁ ସେ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। କେବଳ ସେତିକି ନୁହେଁ ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ ବଡ ଘୋଷଣା କରିଥିଲେ। ସେ କହିଥିଲେ କି, ନିର୍ବାଚନ ବେଳେ କଂଗ୍ରେସ ତରଫରୁ କର୍ଣ୍ଣାଟକବାସୀଙ୍କୁ ଯେଉଁ ପ୍ରମୁଖ ୫ଟି ପ୍ରତିଶ୍ରୁତି ଦିଆଯାଇଥିଲା ତାହା ସରକାର ଗଠନ ହେବାର ପ୍ରଥମ ବୈଠକରେ ପୂରଣ କରାଯିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ବିଜୟକୁ କର୍ଣ୍ଣାଟକବାସୀଙ୍କ ବିଜୟ ବୋଲି କହିଥିଲେ।

Leave A Reply

Your email address will not be published.