Odisha Link
Bridging the Missing Links in Odisha

‘ଭତ୍ତା ଟଙ୍କା’ ରାଜନୀତି

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷା ଭତ୍ତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଏହି ଚିଠି ଲେଖିବା ପରେ ଓଡ଼ିଶା ରାଜନୀତିରେ ଭତ୍ତା ଟଙ୍କାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଅନ୍ୟପଟେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଭତ୍ତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ବ୍ୟାଙ୍କକୁ ଯିବା ବେଳେ ଏଭଳି ଦହଗଞ୍ଜ ହେବା ଖବର ବାରମ୍ବାର ସାମ୍ନାକୁ ଆସିଥିଲା। ତେଣୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି ଯେ, ଏଣିକି ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଆଉ ବ୍ୟାଙ୍କ ଯିବାକୁ ପଡିବନି। ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ପାଇବେ ଭତ୍ତା ଟଙ୍କା।

ସେ ଆହୁରି କହିଛନ୍ତି, ଆଗାମୀ ଜୁନ୍ ମାସରୁ ଏହା ଲାଗୁ ହେବ ଓ ଭତା ପ୍ରଦାନରେ ପଞ୍ଚାୟତିରାଜ ସଂସ୍ଥାକୁ ସାମିଲ କରାଯିବ। ଏବେ ଧର୍ମେନ୍ଦ୍ରଙ୍କ ଚିଠି ପରେ କୋଭିଡ ସମୟରେ ଏନଏସଏପିରେ କେନ୍ଦ୍ର ସରକାର ସହାୟତା ବନ୍ଦ କରିଦେଇଥିବା କହିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।

Leave A Reply

Your email address will not be published.