ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପିଏମ୍ ମୋଦି!
ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ

ଓଏଲ୍ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ କରିଛନ୍ତି ଅଙ୍କକଷା। ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନା ଜଳ୍ପନା କରାଯାଉଥିବାବେଳେ ଏହି ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ପର୍ଯ୍ୟଟନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ହେବ।
ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନା ଜଳ୍ପନା କରାଯାଉଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ। ବିଭିନ୍ନ ସ୍ଥାନକୁ ଆସିଥିବା ଇଭିଏମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ସେ କହିଥିଲେ ଇଭିଏମ ଆସିବା ଏକ ସାଧାରଣ ପ୍ରକ୍ରିୟା। ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ।