ପୁଣି ଗଡ଼ିଲା ରଥ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ବଡ଼ଦାଣ୍ଡ
ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ଦିବ୍ୟରୂପ ଦେଖି ଭକ୍ତ ବିମୋହିତ

ଓଏଲ୍ ବ୍ୟୁରୋ: ମଙ୍ଗଳବାର ଥିଲା ବ୍ରହ୍ମାଣ୍ଡଠାକୁରଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ଦିବ୍ୟରୂପ ଦେଖି ଭକ୍ତ ବିମୋହିତ। ହେଲେ ବହୁ ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିଲାନି ରଥ। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର କାରଣ ଖୋଜା ଚାଲିଥିବାବେଳେ ପୁଣି ଗଡ଼ିଲା ରଥ। ମାଉସୀମା’ ମନ୍ଦିର ଅଭିମୁଖେ ଗଡ଼ିଲା ରଥ। ଶଙ୍ଖ, ମୃଦଙ୍ଗ ଆଉ ଭକ୍ତଙ୍କ ସମାଗମରେ ଗଡ଼ିଲା ରଥ। ଭକ୍ତଙ୍କ ମେଳରେ ମାଉସୀ ଘରକୁ ଯାଉଛନ୍ତି ବ୍ରହ୍ମାଣ୍ଡଠାକୁର। ବିଶ୍ଵନିଅନ୍ତାଙ୍କୁ ଦେଖିବା ପାଇଁ ରଥଦାଣ୍ଡରେ ଅସଂଖ୍ୟ ଭକ୍ତଙ୍କ ସମାଗମ।
ଅନ୍ୟପଟେ, ରଥ ସମୟ ଅନୁସାରେ ପହଂଚି ନଥିବାରୁ କିଛି ଜଗନ୍ନାଥପ୍ରେମୀ ଓ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରଥ ଗଡ଼ିବା ନେଇ ଯେଉଁ ସଙ୍କେତ ଦିଆଯାଇଥାଏ, ସେଥିରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ।
ସେହିପରି ରଥ କେଉଁଆଡ଼କୁ ମୋଡ଼ ନେବ, ସେ ସମ୍ପର୍କରେ ବି ସଂକେତ ଜରିଆରେ ସୂଚନା ପାଇବା ପରେ ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। ଅଭିଯୋଗ ଉଠିଛି, ଆଜି ରଥ ତଳେ ଓ ରଥ ଉପରେ ଯେଉଁମାନେ ରହିଥିଲେ, ସେମାନେ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା। ଯେଉଁଥିପାଇଁ ଆଜି ତିନି ରଥ ବଡ଼ଦାଣ୍ଡରେ ସିଂହଦ୍ବାରରୁ ମେଡିକାଲ୍ ଛକ ଭିତରେ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଏଥିପାଇଁ ଏକାଧିକ ଥର ବଡ଼ଦାଣ୍ଡରେ ତିନି ରଥକୁ ଅଟକିବାକୁ ପଡ଼ିଥିଲା। ଯେଉଁଥିପାଇଁ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।
ଏପରିକି ଶ୍ରୀମନ୍ଦିର ଦାୟିତ୍ବରେ ପୂର୍ଣ୍ଣକାଳୀନ ପ୍ରଶାସକ ଦାୟିତ୍ବ ଗ୍ରହଣ ପରେ ଜିଲ୍ଲା ପ୍ରଶାସନ ସହିତ ଶୀତଳ ଯୁଦ୍ଧ ଚାଲିଥିବା ଅଭିଯୋଗ ଉଠୁଛି। ଏହି ଶୀତଳଯୁଦ୍ଧର ପରିଣାମ ସ୍ବରୂପ ରଥଯାତ୍ରା ଦାୟିତ୍ବରେ ଥିବା ମୁଖିଆମାନେ ନିଜ ନିଜ ଭିତରେ ସମନ୍ବୟ ରଖିବାରେ ଗୁରୁତର ଅବହେଳା କରିଥିବା ଅଭିଯୋଗ ହେଉଛି।