Odisha Link
Bridging the Missing Links in Odisha

‘ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି, କିନ୍ତୁ ମୋ ଉପରେ ଚାପ ପଡ଼ିଥିଲା’

ମୁଁ ଏବେ ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି, କିନ୍ତୁ ମୁଁ ବିଫଳ ହୋଇଥିଲି। ସେତେବେଳେ ମୋ ଉପରେ ଚାପ ପଡ଼ିଥିଲା। ମୋ ସରକାର କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ମୁଁ ଏବେ ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ।

ଅନ୍ୟପଟେ, ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ପ୍ରଶ୍ନକଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏହା ସହ ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ସେବାୟତ ଚାହୁଁଛନ୍ତି। ଯଦି ସମସ୍ତେ ଚାହୁଁଛନ୍ତି, ତେବେ ସରକାର ରାଜି ହୋଇଯିବା କଥା। ହେଲେ ଚାବି ହଜିବା ବାହାନା କରି ସରକାର ଚୁପ୍ ବସିଛନ୍ତି କାହିଁକି। ବିଭ୍ରାଟ ହୋଇଥିବାରୁ ସରକାର ଏଭଳି କରୁଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଖବର ଅନୁସାରେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ କହିଥିଲେ, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି, ନିହାତି ଖୋଲାଯାଉ। ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ। ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା ବୋଲି କହିଥିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

Leave A Reply

Your email address will not be published.