ବାହାନଗା ଟ୍ରେନ୍ ଟ୍ରାଜେଡିକୁ ମାସେ, ସିବିଆଇ ହାତ ଖାଲି
ଓଏଲ୍ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଲା ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍ ଟ୍ରାଜେଡିକୁ ପୁରିଲା ଏକ ମାସ। ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି। ଏହି ଟ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ ଏବେ ବି ତାହା ଜଣାପଡ଼ି ନାହିଁ। ଦୁର୍ଘଟଣାକୁ ମାସେ ପୁରିଥିଲେ ବି ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ହାତ ବି ଖାଲି।
ଦୁର୍ଘଟଣାର ଦୁଇ ଦିନ ପରେ ଦୋଷୀ ଚିହ୍ନଟ ହୋଇଥିବା ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଥିବା ବେଳେ ସେହିଦିନ ଅପରାହ୍ଣରେ ସିବିଆଇ ତଦନ୍ତ ସୁପାରିସ୍ କରିଥିଲେ। ହେଲେ ଟ୍ରେନ ଟ୍ରାଜେଡିକୁ ମାସେ ପୁରିଥିଲେ ମଧ୍ୟ ମାମଲା ଉପରୁ ପରଦା ଉଠାଇ ପାରିନାହିଁ ସିବିଆଇ। ସବୁଠୁ ବଡ଼ କଥା ହେଲା, ଦେଶକୁ ଦୋହଲାଇ ଦେଇଥିବା ଏଭଳି ଏକ ରେଳ ଦୁର୍ଘଟଣାର ତଦନ୍ତ ଅଗ୍ରଗତି ସମ୍ପର୍କରେ ମଧ୍ୟ ସିବିଆଇ ପକ୍ଷରୁ ସାମାନ୍ୟତମ ସୂଚନା ଦିଆଯାଉନାହିଁ।
ବଦଳିଲେଣି ୬ ଅଧିକାରୀ:
ଟ୍ରେନ୍ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍ ଜୁନ୍ ୨୨ରେ ଖଡ଼ଗପୁର ଡିଆର୍ଏମ୍, ଦକ୍ଷିଣ-ପୂର୍ବ ରେଳ ଜୋନ୍ର ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍ସିପାଲ୍ ଚିଫ୍ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍ ଚିଫ୍ ସିକ୍ୟୁରିଟି କମିସନର ଓ ପ୍ରିନ୍ସିପାଲ୍ ଚିଫ୍ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍ର ଜିଏମ୍ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ଜଣ ବରିଷ୍ଠ ଅଧିକାରୀମାନଙ୍କ ବଦଳି କରାଯାଇଥିବା ବେଳେ ଏଯାଏ କାହାର ଅବହେଳାକୁ ଦାୟୀ କରାଯାଇନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏବେ ବି ଚିହ୍ନଟ ଅପେକ୍ଷାରେ ୫୨ ମୃତଦେହ:
ଏମସରେ ଏବେ ବି ୫୨ ମୃତଦେହ ଚିହ୍ନଟ ଅପେକ୍ଷାରେ ଏମ୍ସରେ ରହିଛି। ମୃତଦେହଗୁଡ଼ିକର ପରିଚୟ ଏଯାଏ ମିଳି ପାରୁନାହିଁ। ଦାବିଦାରଙ୍କ ଡିଏନ୍ଏ ନମୁନା ସହ ମୃତଦେହରୁ ସଂଗୃହୀତ ଡିଏନ୍ଏ ରିପୋର୍ଟ ମେଳ କରାଯିବା ପରେ ପର୍ଯ୍ୟାୟକ୍ରମେ ଚିହ୍ନଟ ହେବ ବୋଲି କୁହାଯାଉଛି। କିନ୍ତୁ ମୃତଦେହକୁ ନେଇ ଦ୍ବନ୍ଦ୍ବ ଦୂର ହୋଇପାରୁନାହିଁ।