Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ ବନାଉଛି ବିଜେପି, ଦଳଡିଆଁଙ୍କୁ ମିଳୁଛି ପ୍ରାଧାନ୍ୟ

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିିଛି ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ବିଜେପି ପୁଣିଥରେ ସଙ୍ଗଠନ ସ୍ତରରେ କରିଛି ବଡ଼ ଅଦଳବଦଳ। ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ସମେତ ଆଉ କିଛି ରାଜ୍ୟର ପ୍ରମୁଖଙ୍କୁ ବଦଳି କରିଛି ବିଜେପି। ଖାସ୍‌ କଥା ଏହାକି ଯେ, ଦଳ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଗୁରୁ ଦାୟିତ୍ବ ଦେଇ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିବାର ଯୋଜନା କରିଛି। ଯାହାର ସଙ୍କେତ ଗତକାଲି ମିଳି ସାରିଛି। ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା ପ୍ରଦେଶ ବିଜେପି ମୁଖ୍ୟ ଭାବେ ନିଯୁକ୍ତ କରିଛି ବିଜେପି।

ଆଗକୁ କ’ଣ ରହିଛି ବିଜେପିର ରଣନୀତି?

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇପାରେ। କେନ୍ଦ୍ରମନ୍ତ୍ରୀ ରେଡ୍ଡୀଙ୍କ ବ୍ୟତୀତ ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେଳର ଓ ଜମ୍ମୁ-କଶ୍ମୀରରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଗୁରୁଦାୟିତ୍ବ ଦେବା ପାଇଁ ବିଜେପି ଯୋଜନା କରୁଛି। ଏଥିସହିତ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ରଣନୀତି ଅପାଣାଉଛି ବିଜେପି।

ଏଥର ମନ୍ତ୍ରୀ ପରିଷଦ ଅଦଳବଦଳରେ ବିଜେପି ନୂଆ ଚେହେରାଙ୍କୁ ସାମିଲ କରିବାକୁ ଯୋାଜନା ମଧ୍ୟ କରୁଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି। ବିଜେପିରେ ଜଣେ ବରିଷ୍ଠ ନେତା କହିଛନ୍ତି ଯେ ନିର୍ବାଚନରେ ସରକାରଙ୍କ ଭୂମିକା କେବଳ ସୀମିତ ରହିଥାଏ କିନ୍ତୁ ସଙ୍ଗଠନ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହେବା ଜରୁରୀ ଅଟେ।

ରିପୋର୍ଟ ମୁତାବକ, ସେହିପରି ଆଉ ଜଣେ ନେତା କହିଛନ୍ତି ଯେ ଯେଉଁ ଅଦଳବଦଳ ଦେଖିବାକୁ ମିଳୁଛି ତାର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ଲୋକସଭା ନିର୍ବାଚନରେ ଦଳକୁ କିପରି କମ୍‌ କ୍ଷତି ସହିବାକୁ ପଡ଼ିବ ଆଉ ଅଧିକ ସଫଳତା କିଭଳି ମିଳିବ। କିଛି ନିଯୁକ୍ତି ଭବିଷ୍ୟତକୁ ନଜର କରି କରାଯାଉଛି। ସେହିଭଳି ବିଜେପି ଶାସିତ ରାଜ୍ୟରେ ନୂଆ ଚେହେରା ଆଗକୁ ଆଣିବାକୁ ଦଳ ଚେଷ୍ଟ କରୁଛି।

ଦଳଡିଆଁଙ୍କୁ ପ୍ରାଧାନ୍ୟ:
ଅଦ୍ୟଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ନେତାଙ୍କୁ ମଧ୍ୟ ବିଜେପି ସାଙ୍ଗଠନିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ପଦବୀ ଦେଉଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁନୀଲ ଆଖଡ଼ ପଞ୍ଜାବ ବିଜେପି ଅଧ୍ୟକ୍ଷ ହୋଇଛନ୍ତି। ସେହିପରି ଭାରତ ରାଷ୍ଟ୍ର ସମିତିରୁ ଆସିଥିବା ଓବିସି ନେତା ଏଟଲା ରାଜେନ୍ଦ୍ରଙ୍କୁ ତେଲେଙ୍ଗାନାର ନିର୍ବାଚନ ସମିତିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ସେହିପରି ୟୁପିଏ ସରକାରରେ ମନ୍ତ୍ରୀ ଥିବା ଡି ପୁରେନ୍ଦେଶ୍ବରୀଙ୍କୁ ଆନ୍ଧ୍ରପ୍ରଦେଶର ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ପୁରେନ୍ଦେଶ୍ବରୀଙ୍କ ଜରିଆରେ ବିଜେପି ଜାତିଗତ ସମୀକରଣକୁ ହାତେଇବାକୁ ଚେଷ୍ଟା କରିବ।

Leave A Reply

Your email address will not be published.