Odisha Link
Bridging the Missing Links in Odisha

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଚନ୍ଦକା ଥାନାରେ ସିବିଆଇ ଟିମ୍‌, ଜେରା ହେବେ ୩ ଅଭିଯୁକ୍ତ

ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ସିବିଆଇ ଟିମ୍‌।

ଓଏଲ୍ ବ୍ୟୁରୋ: ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୁରିଥିବା ବେଳେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ଟ୍ରେନ୍‌ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁଯାୟୀ ସେକ୍ସନ୍ ଇଂଜିନିୟର ମହମ୍ମଦ ଅମୀର ଖାନଙ୍କୁ ସିବିଆଇ ଗିରଫ କରିଛି। ତାହା ସହ ଟେକନିସିଆନ ପପୁ କୁମାର ଓ ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହନ୍ତ ଗିରଫ ହୋଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଚନ୍ଦକା ଥାନାରେ ୫ ଜଣିଆ ସିବିଆଇ ଟିମ୍‌ ପହଂଚିଛି। ଗିରଫ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ସିବିଆଇ ଟିମ୍‌। ଏହା ସହ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ କରିଥିବା ସୂଚନା ରହିଛି।

ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି।

ସିଗନାଲ୍‌ ତ୍ରୁଟିରୁ ଦୁର୍ଘଟଣା !

ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି। ରେଳବୋର୍ଡ଼ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି। ଏହାବାଦ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି। ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା।

ବଦଳିଲେଣି ୬ ଅଧିକାରୀ:

ଟ୍ରେନ୍‌ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ଜଣ ବରିଷ୍ଠ ଅଧିକାରୀମାନଙ୍କ ବଦଳି କରାଯାଇସାରିଛି।

Leave A Reply

Your email address will not be published.