Odisha Link
Bridging the Missing Links in Odisha

ମାଓବାଦୀଙ୍କ ସହିଦ ସପ୍ତାହ: ଆନ୍ଧ୍ର-ଓଡ଼ିଶା ସୀମା ସିଲ୍‌ 

ଓଏଲ୍‌ ବ୍ୟୁରୋ: ଆଜିଠାରୁ ସିପିଆଇ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ନିବେଦନ କରିଛନ୍ତି।ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।

ଏସ୍‌ଓଜି, ସିଆରପିଏଫ୍, ବିଏସ୍ଏଫ୍ ପକ୍ଷରୁ ନିୟମଗିରି ଭଳି ସମ୍ବେଦନ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପାତ୍ର। ରାୟଗଡ଼ା ଜିଲ୍ଲାକୁ ଲାଗିଥିବା ଏକନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଛି।

ମାଓବାଦୀ ସହିଦ ସପ୍ତାହ ପାଳନ କରନ୍ତି କାହିଁକି ?

ପ୍ରତି ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ସହିଦ ସପ୍ତାହ ପାଳନ କରିଥାନ୍ତି ନକ୍ସଲ। ନକ୍ସଲ ସଂଗଠନର ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କର କୋଲକତା ପୁଲିସଦ୍ୱାରା ନିର୍ଯାତନରେ ୧୯୭୨ ମସିହା ଜୁଲାଇ ୨୮ ତାରିଖରେ ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ନକ୍ସଲ ସହିଦ ସପ୍ତାହ ରୁପେ ପାଳନ କରୁଛନ୍ତି।

ମାଓ ପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ ସିଆରପିଏଫ୍, ବିଏସ୍ଏଫ୍ ଯବାନ କମ୍ବିଂରେ ସାମିଲ୍ ହୋଇଛନ୍ତି । ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତୀକ୍ଷଣ୍ ଦୃଷ୍ଟି ରଖିଛି ପୋଲିସ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ପୋଲିସ୍ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି ।

Leave A Reply

Your email address will not be published.