Odisha Link
Bridging the Missing Links in Odisha

ନୀତିନ ଗଡ଼କରୀ-ଧର୍ମେନ୍ଦ୍ର ପ୍ରଧାନ ଭେଟଘାଟ: କଟକ-ସମ୍ବଲପୁର ରାଜପଥ ଅଗ୍ରଗତିର କଲେ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି ।

ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି । କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ରାଜପଥ ପ୍ରକଳ୍ପ ଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ସଡକପଥ ଭିତ୍ତିଭୂମିକୁ ମଜଭୂତ୍ କରାଯାଉଛି । ଭାରତ ସରକାରଙ୍କ ଏନଏଚଏଆଇ ଦ୍ୱାରା ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଲୋଚନା ହୋଇଥିବା ସବୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଗଡକରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିଲେ ।

Leave A Reply

Your email address will not be published.