Odisha Link
Bridging the Missing Links in Odisha

୨୦୨୪ ନିର୍ବାଚନ: ନଡ୍ଡାଙ୍କ ନୂଆ ଟିମ୍‌; ପୁଣିଥରେ ଉପାଧ୍ୟକ୍ଷ ହେଲେ ବୈଜୟନ୍ତ

ଓଡ଼ିଶାରୁ କେବଳ ବୈଜୟନ୍ତ ପଣ୍ଡାଙ୍କୁ ନଡ୍ଡାଙ୍କ ଟିମରେ ସ୍ଥାନ ମିଳିଛି। 

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ଯେଉଁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ନେତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମିଳିଛି। ତେବେ ଓଡ଼ିଶାରୁ କେବଳ ବୈଜୟନ୍ତ ପଣ୍ଡାଙ୍କୁ ନଡ୍ଡାଙ୍କ ଟିମରେ ସ୍ଥାନ ମିଳିଛି।

ବିଜେପି ଯେଉଁ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି ସେଥିରେ ୧୩ ଜଣ ଉପାଧ୍ୟକ୍ଷ ସ୍ଥାନ ପାଇଛନ୍ତି। ନୂଆ ତାଲିକାରେ ୩ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ସେହିପରି ମଧ୍ୟପ୍ରଦେଶର ବଡ ନେତା କୈଳାଶ ବିଜୟବର୍ଗୀୟଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କରାଯାଇଛି। ଅର୍ଥାତ ସ୍ପଷ୍ଟ ସୂଚନା ମିଳିଛି ଯେ ୨୦୨୪ ଲୋକସଭା ନିର୍ବାତନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ମଧ୍ୟ ଧ୍ୟାନ ଦିଆଯାଇଛି।

ସେହିଭଳି ଦଳର କିଛି ନେତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି ନଡ୍ଡା। ଉତ୍ତରପ୍ରଦେଶରୁ ସାଂସଦ ଥିବା ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲଙ୍କ ସହ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ନଡ୍ଡା। ସେହିଭଳି କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲା ଅନୀଲ ଆଣ୍ଟୋନିଙ୍କୁ ରାଷ୍ଟ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶାରୁ ଏକମାତ୍ର ନେତା ଭାବେ ବୈଜୟନ୍ତ ପଣ୍ଡା ନଡ୍ଡାଙ୍କ ଟିମରେ ସ୍ଥାନ ପାଇଛନ୍ତି। ପୁଣିଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପାଇଛନ୍ତି ବୈଜୟନ୍ତ ପଣ୍ଡା।

Leave A Reply

Your email address will not be published.