ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ, ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଗର୍ଜନ। ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଉଟସୋର୍ସିଂ କର୍ମଚାରୀ ମହାସଂଘ। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ଟି ଦାବି କରିଛନ୍ତି ।
ଆନ୍ଦୋଳନକାରୀ କହିଛନ୍ତି ଯେ ସରକାର ପୂର୍ବରୁ ତିନିତିନି ଥର ସମାଧାନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଦାବି ପୂରଣ କରି ନାହାନ୍ତି। ତେଣୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ପ୍ରତିବାଦକାରୀ କହିଛନ୍ତି।
ଓଡ଼ିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ମୋଟ ୮୦ ହଜାର କର୍ମଚାରୀ କାମ କରୁଛନ୍ତି। ୧୦ରୁ ୧୮ ବର୍ଷ ହେଲା କାମ କରୁଛନ୍ତି। କିନ୍ତୁୁ ସମାନ କାମ କରୁଥିଲେ ମଧ୍ୟ ଦରମା ବଢୁ ନାହିଁ। ଏହାଛଡା ବହୁ କର୍ମଚାରୀଙ୍କୁ ଛଟେଇ ମଧ୍ୟ କରାଯାଉଛି। ଏହାର ପ୍ରତିବାଦରେ ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ।