Odisha Link
Bridging the Missing Links in Odisha

ମେଟ୍ରୋ ପ୍ରକଳ୍ପ: ୨୬କିମିରେ ରହିବ ୨୦ଟି ଷ୍ଟେସନ, ଡିପିଆର ଚୂଡ଼ାନ୍ତ

ଓଏଲ୍‌ ବ୍ୟୁରୋ: ମେଟ୍ରୋ ପ୍ରକଳ୍ପକୁ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ମେଟ୍ରୋ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଚୂଡ଼ାନ୍ତ ହୋଇଛି। ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପରେ ମୋଟ ୨୦ଟି ଷ୍ଟେସନ ରହିବ ବୋଲି ସୂଚନା ରହିଛି। ପ୍ରାୟ ୨୬କିମି ଦୀର୍ଘ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଡିଏମଆରସି ଦ୍ୱାରା ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଆଦି ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ଆଜିର ବୈଠକରେ ଏହି ଡିପିଆରକୁ ଡିଏମଆରସି ଦ୍ୱାରା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରାଯାଇଛି। ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା।

ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ ୨୬କିମି ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୨୦ଟି ଷ୍ଟେସନ ରହିବ। ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ।

ସୂଚନାଥାଉକି, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସହଯୋଗ ବିନା ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପ ରାଜ୍ୟ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

Leave A Reply

Your email address will not be published.