Odisha Link
Bridging the Missing Links in Odisha

ଜଗା ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସିଂହଦ୍ବାର ସାମ୍ନାରେ ମୁଣ୍ଡିଆ ମାରିଥିଲେ ନିର୍ମଳା। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ। କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇଥିଲେ। ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।

ଏହା ପରେ ସେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଛନ୍ତି। ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଏହି ବାଲୁକା କଳାକୃତି ନିର୍ମାଣ କରାଯାଇଛି। ଏହା ପରେ ସକାଳ ଦୁଇ କେନ୍ଦ୍ରମନ୍ତ୍ରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଆୟୋଜିତ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ପଞ୍ଚପ୍ରାଣ ଶପଥ ଗ୍ରହଣ କରିବେ।

ଦିନ ସାଢେ ୧୦ଟାରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ବୀରହରେକୃଷ୍ଣପୁରରେ ଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ସେଠାରୁ ଅମୃତ କଳା ଯାତ୍ରାର ଶୁଭାରମ୍ଭ ହେବ । ପୁରୀରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ। ଭୁବନେଶ୍ୱରରେ କୁଇ ଓ ଦେଶିଆ ଭାଷାରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବେ । ଏହି ଦୁଇଟି ପୁସ୍ତକ ଉଭୟ ଭାରତୀୟ ଭାଷାରେ ଜ୍ଞାନ ବିତରଣ ଦିଗରେ ସହାୟକ ହେବ। ଏହା ପରେ ଅପରାହ୍ଣ ୫ଟାରେ ଦୁଇ କେନ୍ଦ୍ରମନ୍ତ୍ରୀ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଟ ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.