Odisha Link
Bridging the Missing Links in Odisha

ଦୂତିଙ୍କୁ ଝଟକା: ୪ ବର୍ଷ ପାଇଁ ବାସନ୍ଦ ହେଲେ ଦ୍ରୁତତମ ଧାବିକା

ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୂତି ଚାନ୍ଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ। ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍‌ (ଏଡିଡିପି) ଅଧ୍ୟକ୍ଷ ଚୈତନ୍ୟ ମହାଜନ ଗୁରୁବାର ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି।

ଖବର ଅନୁସାରେ, ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ। ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍‌କୁ ଯାଞ୍ଚ କରିନଥିଲେ। ଏଥିସହିତ ତାହାକୁ ୱାଡା ଦ୍ବାରା ଜାରି ହୋଇଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍‌ ଜାଣିବାକୁ ପାଇଥିଲା। ଏହାଫଳରେ ଦୂତି ଜାତୀୟ ଆଇନ ଉଲଙ୍ଘନ କରିଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି। ଦୂତି ଜାତୀୟ ଆଇନ ଉଲଙ୍ଘନ କରିଥିବା ସ୍ପଷ୍ଟ ହେବା ପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି।

Leave A Reply

Your email address will not be published.