Odisha Link
Bridging the Missing Links in Odisha

ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ, ଆୟର୍ଲାଣ୍ଡରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଓଏଲ୍‌ ବ୍ୟୁରୋ: ବହୁଦିନ ପରେ ଓଡ଼ିଶାରେ ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ ଫେରିଛି। ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଅଗଷ୍ଟ ୧୩ରେ ଡବଲିନ୍‌ ସାଇଣ୍ଟୋଲୋଜି କମ୍ୟୁନିଟିସେଣ୍ଟରରେ ଇତିହାସରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି। ପ୍ରତୀକ୍ଷା ଚଳଚ୍ଚିତ୍ରଟି ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦେଶିତ ଯାହାକି ଏକ କ୍ଷୁଦ୍ରଗଳ୍ପ ‘ବାପା’ ଦ୍ୱାରା ଅନୁପ୍ରାଣିତ। ଚଳଚିତ୍ରଟି ଏକ ମଧ୍ୟବିତ୍ତ ପରିବାରରର ଏକ ଯୁବକର ଦୁଃଖ ସଂଘର୍ଷର କାହାଣୀ, ପ୍ରତ୍ୟେକ ଓଡ଼ିଆଙ୍କ କାହାଣୀ। ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଲୋକ ଯୋଗଦେଇଥିଲେ। ଓଡ଼ିଆ ବ୍ୟତୀତ ଅଳ୍ପ ସଂଖ୍ୟକ ବଙ୍ଗୀୟ ଲୋକ ଏବଂ ଇଟାଲୀୟମାନେ (ବିଦେଶରେ ପ୍ରଥମ ଥର ପାଇଁ) ଏହି ଫିଲ୍ମ ଦେଖିଛନ୍ତି। ସେମାନେ ଓଡିଶା ଏବଂ ଏହାର ସଂସ୍କୃତିକୁ ପ୍ରଶଂସା କରିଥିଲେ ଏବଂ ଏହି ଚଳଚ୍ଚିତ୍ରକୁ ସେମାନେ ଉପଭୋଗ କରିଥିଲେ ବୋଲି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ବଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି। ବହୁଦିନ ପରେ ଓଡ଼ିଶାରେ ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ ଫେରିଥିବା କୁହାଯାଉଛି।

Leave A Reply

Your email address will not be published.