ଅମାପ ସମ୍ପତି ପଡ଼ିଲା ମହଙ୍ଗା, ଗିରଫ ହେଲେ ରାୟଗଡା ଡିଏଫ୍ଓ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଥିଲା। ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ କରାଯାଇଛି। କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ ଠାବ ହୋଇଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁରରେ ୮ଟି ପ୍ଲଟ ଥିବା ସନ୍ଧାନ ମିଳିଛି। ଅମାପ ସମ୍ପତିର ତାଲିକା ପାଇବା ପରେ ରାୟଗଡା ଡିଏଫ୍ଓଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ରାୟଗଡ଼ାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନରେ ରେଡ୍ କରାଯାଇଥିଲା। ଯାଜପୁରର ଦାନଗଦୀ ନିକଟ ଦାମୋଦରପୁର ପୈତୃକ ଘରେ ଚଢ଼ାଉ ହୋଇଥିଲା। ଏହା ସହ ଜଣେ ସଂପର୍କୀୟଙ୍କ କଟକରେ ଥିବା ୨ଟି ଘରେ ଚଢ଼ାଉ କରାଯାଇଥିଲା। ଡିଏଫ୍ଓଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଘରେ ମଧ୍ୟ ଚଢ଼ାଉ ଚାଲିଥିଲା। ଡିଏଫ୍ଓଙ୍କଙ୍କ ଘରୁ ନଗଦ ୧. ୨୪ ଲକ୍ଷ ଟଙ୍କା ଜବତ କରିବା ସହ ଗୋଟିଏ କାର୍ ଓ ୨ଟି ବାଇକ ଜବତ ହୋଇଥିଲା।