Odisha Link
Bridging the Missing Links in Odisha

ଚର୍ଚ୍ଚାରେ ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟ, ଟ୍ୱିଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିବା ପରେ ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶଶିକଳା ସିଣ୍ଡ୍ରୋମ ପରେ ପ୍ରତାପରୁଦ୍ର ଦେବଙ୍କ ପରବର୍ତ୍ତୀ ଶାସନ ବ୍ୟବସ୍ଥା ସହିତ ରାଜ୍ୟର ବର୍ତମାନର ସ୍ଥିତିକୁ ତୁଳନା କରିଛନ୍ତି ଓ ନଟବର ଖୁଂଟିଆଙ୍କ ସୋସିଆଲ ମିଡିଆ ଲେଖା ପଢି ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି ଓଡ଼ିଶାର ଇତିହାସକୁ ବର୍ତ୍ତମାନ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଂଟିଆ ସଠିକ୍ ତୁଳନା କରିଛନ୍ତି। ସମସ୍ତେ ଏହାକୁ ପଢିବା ଉଚିତ୍। ସମସ୍ତେ ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କର ସେହି ଦୁଇ ଉକ୍ତି “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ ରାଜି” କୁ ସ୍ମରଣ କରିବା ଉଚିତ୍। ଜାତିର ମହାପୁରୁଷମାନେ ଭବିଷ୍ୟତକୁ ଦେଖିକି ସାହିତ୍ୟ ସୃଜନ କରିଥାନ୍ତି ଏବଂ ବିଚାର କଣିକା ଛାଡି ଯାଆନ୍ତି। ନଟବର ବାବୁଙ୍କ ଏହି ଲେଖା ପଢିଲା ପରେ ଭାବୁଛି, ଏହା କେତେ ଠିକ୍ ଓ ବର୍ତ୍ତମାନ ସମୟରେ କେତେ ପ୍ରାସଙ୍ଗିକ ବୋଲି ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି।

ସୂଚନା ଅନୁସାରେ, ନଟବର ଖୁଂଟିଆ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶାରେ ପ୍ରତାପରୁଦ୍ର ଦେବ ଶାସନ କରିଥିଲେ ୧୪୯୭ ରୁ ୧୫୩୮ ପର୍ଯ୍ୟନ୍ତ। ସେ ଥିଲେ କାଞ୍ଚି ବିଜୟୀ ପୁରୁଷୋତ୍ତମ ଦେବଙ୍କ ପୁତ୍ର।ସେ ଏକ ବିରାଟ ଭୂଖଣ୍ଡର ରାଜା ଥିଲେ। କିନ୍ତୁ ସେହି ଭୂଖଣ୍ଡ ଧୀରେ ଧୀରେ ହ୍ରାସ ପାଇଲା। ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ କାରଣ ସେ ଚୈତନ୍ୟ ଦେବଙ୍କ ବୈଷ୍ଣବ ଧର୍ମର ପୃଷ୍ଠପୋଷକ ସାଜିବାରୁ ରାଜ୍ୟର ପ୍ରଜାମାନେ ମଧ୍ୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ନାମ ସଂକୀର୍ତ୍ତନ ରେ ମାତି ନିଜର ଆକ୍ରମଣାନ୍ତକ ଭାବ ହରାଇଲେ।

ଓଡ଼ିଶାରେ ଯେଉଁ ସ୍ଥିତି ହେଲା ବଙ୍ଗଳାରେ ସେହି ସ୍ଥିତି ହେଲା ବୋଲି ସ୍ଵାମୀ ବିବେକାନନ୍ଦ ମଧ୍ୟ ସ୍ବୀକାର କରିଛନ୍ତି ଏବଂ ଆମ ପଣ୍ଡିତ ନୀଳକଂଠ ଦାସ ସେହି କଥା କହିଛନ୍ତି। ପ୍ରତାପରୁଦ୍ର ଦେବ ରାଜ୍ଯର ଅନେକ ଅଂଶ ହରାଇଲେ।ତାଙ୍କ ମୃତ୍ୟୁ ବେଳକୁ ରାଜ୍ୟ ଖଣ୍ଡିତ ହୋଇଯାଇ ଥିଲା। ତାଙ୍କ ଅନ୍ତେ ତାଙ୍କ ଦୁଇ ପୁତ୍ର ଦୁଇ ବର୍ଷ ବି ଶାସନ କରି ପାରିଲେ ନାହିଁ। ତାଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଦୁଇ ପୁଅଙ୍କୁ ହତ୍ୟା କରି ଶାସନ ଭାର ଗ୍ରହଣ କଲେ।

ବ୍ରିଟିଶ ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଓଡ଼ିଶାର ସତ୍ତାକୁ ଲୋପ ପ୍ରାୟ କରିଦେଲା। ତାପରେ ଆସିଲେ ମଧୁବାବୁ। ଓଡ଼ିଶାକୁ ପୁନର୍ଗଠନ କଲେ। ଓଡ଼ିଶା ଏକ ସ୍ଵତନ୍ତ୍ର ରାଜ୍ୟ ହେଲା ବ୍ରିଟିଶ୍ ଗଲେ। ଦେଶ ସ୍ବାଧୀନ ହେଲା। ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପରେ ଓଡ଼ିଶାରେ ସୃଷ୍ଟି ହୋଇଛି ଅଦ୍ଭୁତ ପରିସ୍ଥିତି। ଦେଶର ଆଦିବାସୀ ବହୁଳ ଜିଲାରେ ୩୩ ଭାଗରୁ ୪୫ ଭାଗରୁ ଉର୍ଦ୍ଧ୍ବ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବାବେଳେ ଏବଂ ଚାଷୀ ପରିବାରର ମାସିକ ଆୟ ୨୦୧୫-୧୬ ରେ ୭୭୩୧ ଟଙ୍କା ଥିବାବେଳେ ତାହା ଖସି ଆସି ୨୦୧୮-୧୯ରେ ହୋଇଛି। ଓଡ଼ିଶା ସରକାର ଖାଲି ରାଜ୍ୟ ସ୍ତରୀୟ ମନ୍ଦିର ନୁହେଁ ଗାଁ ଗହଳିର ମନ୍ଦିର ପାଇଁ ଶହ ଶହ କୋଟି ଟଙ୍କା ମଞ୍ଜୁର କରି ଦେଇ ମନ୍ଦିର ନିର୍ମାଣରେ ଲାଗି ପଡ଼ିଛନ୍ତି।

ଏହା ସମାଲୋଚିତ ହେବା ବେଳେ ଜଣେ ସରକାରୀ ଦଳର ନେତା କହିଲେ ଆପଣ ମାନେ କ’ଣ ଜଗନ୍ନାଥ ସଂସ୍କୃତିର ପ୍ରସାର କୁ ରୋକିବାକୁ ଚାହାନ୍ତି।ସତେ ଯେମିତି ଜଗନ୍ନାଥ ସଂସ୍କୃତି ସଂକଟରେ। ମୋଗଲ, ମରହଟ୍ଟା ,କଳାପାହାଡ଼,ବ୍ରିଟିଶ ଜଗନ୍ନାଥ ସଂସ୍କୃତିର କିଛି କରିପାରିଲେ? ଆଜି ମନ୍ଦିର ପାଇଁ ଯେଉଁ ଅର୍ଥ ଖୋଲା ହାତରେ ଦିଆ ଯାଉଛି ତାହା ସରଳ ଓଡ଼ିଆ ଜାତିକୁ ଭୂଆଁ ବୁଲାଇ ପଙ୍ଗୁ କରାଇ ଭୋଟ ନେଇ କ୍ଷମତା କୁ ମାଡିବସି ରହିବା ପାଇଁ ଉଦ୍ୟମ।

ଆଜି ଗାଁ କୁ ଯାଆନ୍ତୁ ମଦ ଓ ଗଞ୍ଜେଇର ପ୍ରାବଲ୍ଯ ଦେଖିବେ।ଆପଣ ଜାଣନ୍ତି ବର୍ତ୍ତମାନର ସରକାର ୨୦୦୦-୨୦୦୧ରେ ଯେତେ ବେଳେ ସରକାର ଗଠନ କଲେ ଅବକାରୀ ରାଜସ୍ବ ଆଦାୟ ହେଇଥିଲା ମାତ୍ର କୋଟି ୧୯୭ କୋଟି ଟଙ୍କା। ୨୦୨୨-୨୩ ଆଦାୟ ହୋଇଛି ୮୯୬୮ କୋଟି ଟଙ୍କା। ରାଜ୍ୟର ଯୁବ ସମାଜକୁ ନିଶାରେ ମଧ୍ୟରେ ବୁଡାଇ ଦେଇ ଆଡେ ମନ୍ଦିର ନିର୍ମାଣ କରୁଛନ୍ତି। ଓଡ଼ିଶାବାସୀ ଆଜି ପ୍ରତାପରୁଦ୍ର ଦେବଙ୍କ ସମୟପରି ଆକ୍ରମଣାନ୍ତକ ମାନସିକତା ହରାଇଲା ପରି ଅନୁଭବ ହେଲାଣି, ନହେଲେ ଏକ ଗଣତାନ୍ତ୍ରିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ କ୍ଷମତା ଦେଇ ରାଜ୍ୟ ସାରା ହେଲିକପ୍ଟରରେ ଅସାମ୍ବିଧାନିକ ଭାବରେ ବୁଲାଇ ଲୋକଙ୍କ ହାରିଗୁହାରି ଶୁଣି ବାକୁ ପଠାଉ ନଥାନ୍ତେ।

କ’ଣ ଭାବୁଛନ୍ତି ପଛଦ୍ଵାର ଦେଇ ଏବେ କିଏ ଜଣେ ଗୋବିନ୍ଦ ବିଦ୍ୟାଧର ଆସିବେ ଆଉ ଓଡ଼ିଶା ଲୋକେ ସ୍ବାଗତ କରିବେ? ନା କଦାପି ତାହା ହେବ ନାହିଁ, ମଧୁବାବୁଙ୍କ ତ୍ୟାଗ ପାଣିରେ ଭାସିଯିବ ନାହଁ।ଏ ଓଡ଼ିଆ ଜାତି ଠିକ୍ ସମୟରେ ସଠିକ୍ ଯବାବ ଦେବ। ମୁଖ୍ୟମନ୍ତ୍ରୀଙ୍କ ସଚିବ ତାଙ୍କ ତଥା କଥିତ ସରକାରୀ ଗସ୍ତ ସମୟରେ ମହିଳାମାନଙ୍କୁ ବ୍ଯାକ ଗ୍ରାଉଣ୍ଡରେ ରଖି ଯେଉଁ ଫଟୋ ଉଠାଇଛନ୍ତି ଆଉ ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ତାହା ଯଦି ସତ ଫୋଟ ହୋଇଥାଏ ମୋ ମୁଣ୍ଡ ଲଜ୍ଜାରେ ନଇଁ ପଡୁଛି। ନା ଇତିହାସର ପୁନରାବୃତ୍ତି ହେବ ନାହିଁ ନା ଗୋବିନ୍ଦ ବିଦ୍ୟାଧରର ଆକାଂକ୍ଷା ପୂରଣ ହେବନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.