ପୂରଣ ହେଲା ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା
ଓଏଲ୍ ବ୍ୟୁରୋ: ଆଉ ନାହାନ୍ତି ଦକ୍ଷିଣ ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ସୂର୍ଯ୍ୟ ନାରାୟଣ ପାତ୍ର। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଗତକାଲି ସଂଧ୍ୟାରେ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ କରାଯିବ। ଏଥିସହିତ ସ୍ବର୍ଗତ ଶ୍ରୀ ପାତ୍ରଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ପରିବାର ଲୋକେ।
ଶନିବାର ରାତିରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତଦେହ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି ଯାକ ଚକ୍ଷୁକୁ ଦାନ କରି ଦେବାକୁ ସେ କହିଥିଲେ। ତେଣୁ ତାଙ୍କର ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା।ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ। ଏହାପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମା’ଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଚକ୍ଷୁ ଦ୍ୱୟକୁ ଦାନ କରାଯାଇଥିଲା।
ଗତକାଲି ସଂଧ୍ୟା ୭ଟା ୩୧ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବିଜେଡି ସରକାରରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ଓ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ସେ ପ୍ରତିନିଧିତ୍ବ କରୁଥିଲେ। ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ମୋହନା ବିଧାନସଭା ଆସନରୁ ୪ଥର ଓ ଦିଗପହଣ୍ଡି ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ। ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟକରି ସେ ତାଙ୍କ ଦକ୍ଷତା ଦେଖାଇଥିଲେ।